ଶିଖରପୁର ରାସ୍ତାର ଦୁରବସ୍ଥା, ମରାମତି ଦାବି
ନୟାଗଡ଼, ୧୭/୦୮ (ସୁଧିର କୁମାର ଦାସ) : ନୟାଗଡ଼ ଜିଲ୍ଲା ଶରଣକୁଳ ଅଧୀନରେ ଥିବା ଶିଖରପୁର ମୁଖ୍ୟ ରାସ୍ତାର ଦୁରବସ୍ଥା ଯୋଗୁଁ ଅନେକ ଗ୍ରାମର ଲୋକେ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶିଖରପୁର ଦେଇ ଗୋଳଗାଁ, ପାଣିଭଣ୍ଡାର, କଜଳପୋଲି, ସିମିଳିଝରଣା ସମେତ ଅନେକ ଗ୍ରାମର ଲୋକେ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି। ଦୀର୍ଘବର୍ଷ ଧରି ରାସ୍ତାର ମରାମତି ହୋଇନଥିବାରୁ ବର୍ତ୍ତମାନ ଏହା ଅନେକ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୨୦ କିଲୋମିଟର ରାସ୍ତା ମଧ୍ୟରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ବର୍ଷାଦିନରେ ଏହି ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକଙ୍କୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବିଶେଷକରି ରାତି ସମୟରେ ରାସ୍ତାର ଖାଲଖମା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ରାସ୍ତାର ଦୁରବସ୍ଥା ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ, ବିଧାୟକ ଓ ସମ୍ପୃକ୍ତ ରାସ୍ତା ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଏହି ମୁଖ୍ୟ ରାସ୍ତାର ଶୀଘ୍ର ମରାମତି ସହ ଆବଶ୍ୟକ ସ୍ଥାନରେ ନୂତନ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିପ୍ରତି ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।