Hot Posts

6/recent/ticker-posts

ଜମି ଚୋରି ଅଭିଯୋଗ: ଉପନିବନ୍ଧକଙ୍କୁ ଦାୟିତ୍ୱରୁ ବିରତି, ଥାନା ଅଧିକାରୀଙ୍କ ବଦଳି

ନୂଆପଡ଼ା, ୧୯/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧୀନ ଚନ୍ଧୋପଲା ମୌଜାରେ ଜମି ମାଲିକାନା ହସ୍ତାନ୍ତରକୁ ନେଇ ଉଠିଥିବା ଅଭିଯୋଗ ଘଟଣାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗକୁ ନେଇ କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ବଦଳି କରାଯାଇଥିବା ବେଳେ ରାଜସ୍ୱ ବିଭାଗର ଉପନିବନ୍ଧକ ଦାୟିତ୍ୱରୁ ସର୍ବେଶ୍ୱର ଜାଲଙ୍କୁ ବିରତି ଦିଆଯାଇଛି। ସୂଚନା ଅନୁସାରେ, ଚନ୍ଧୋପଲା ମୌଜାର ସତ୍ୟନାରାୟଣ ପ୍ରଧାନୀ ଏବଂ ତାଙ୍କ ଭଉଣୀ କୁମୁଦିନୀଙ୍କ ପିତା ଜଗତ ରାମ ପ୍ରଧାନୀଙ୍କ ନାମରେ ଥିବା ଜମିକୁ ନେଇ ଜମି ଚୋରି ଓ ମାଲିକାନା ହସ୍ତାନ୍ତର ସମ୍ପର୍କିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବିଭାଗୀୟ ସ୍ତରରେ ତଦନ୍ତ ଜାରି ରହିଥିଲା। ଏହି ତଦନ୍ତ ପ୍ରକ୍ରିୟା ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମୂଳ ଖାତାକୁ ୪.୪୦ ଡିସିମିଲ ଜମି ଫେରସ୍ତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜମି ମାଲିକାନା ହସ୍ତାନ୍ତର କରିଥିବା ଡିଡ୍‌କୁ ଖାରଜ କରିବାର କ୍ଷମତା ନଥିବା ନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିବା ବେଳେ, ଏଥିପାଇଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦସ୍ତାବେଜ ଖାରଜ ପାଇଁ ଜମି ମାଲିକଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଉପନିବନ୍ଧକ ଦାୟିତ୍ୱରୁ ସର୍ବେଶ୍ୱର ଜାଲଙ୍କୁ ବିରତି ଦେଇଛନ୍ତି। ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ସୌମ୍ୟାଶ୍ରୀ ମଲ୍ଲିକଙ୍କୁ ଉପନିବନ୍ଧକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଘଟଣାର ନିରପେକ୍ଷ ତଦନ୍ତ ଓ ପ୍ରଶାସନିକ ଦାୟିତ୍ୱବୋଧକୁ ସୁନିଶ୍ଚିତ କରିବା ଦିଗରେ କେତେଦୂର ଉପଯୁକ୍ତ ସାବ୍ୟସ୍ତ ହେବ, ତାହା ଆଗାମୀ ତଦନ୍ତ ଓ ବିଭାଗୀୟ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ। ତେବେ ଜମି ମାଲିକମାନେ ନିଜ ଜମି ଓ ଦସ୍ତାବେଜ ସମ୍ପର୍କରେ ନ୍ୟାୟ ପାଇବା ଆଶା ରଖିଛନ୍ତି।