Hot Posts

6/recent/ticker-posts

ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ୱାମୀ ଓ ୩ ବର୍ଷର ପୁଅ ଗୁରୁତର

ବରୀ, ୩୧/୦୮ ( ରଂଜିତ ମହାନ୍ତି ) : ବରୀ-କୁଆଖିଆ ମୁଖ୍ୟ ରାସ୍ତାର ଶିବାଛକରୁ ଇନ୍ଦାରୋଇକୁ ସଂଯୋଗ କରୁଥିବା ସେତୁ ଉପରୁ ଏକ ବାଇକ୍ ଖସି ପଡ଼ିବାରୁ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଏଥିରେ ବାଇକ୍‌ରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଓ ୩ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶିବାଛକରେ ‘ସତ୍ୟ ଫେସନ୍ ଡ୍ରେସ୍ ହାଉସ୍’ କରିଥିବା ରୁଦ୍ରପୁର ଗ୍ରାମର ସତ୍ୟବ୍ରତ ଓଝା ତାଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଓଝା ଓ ୩ ବର୍ଷର ପୁଅଙ୍କୁ ବାଇକ୍‌ରେ ବସାଇ ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିଲେ। ଶିବାଛକଠାରୁ ପ୍ରାୟ ୧୦୦ରୁ ୧୫୦ ମିଟର ଦୂରରେ ଥିବା ସେତୁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ପାଣି ମଧ୍ୟକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେତୁର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ନଥିବା ସହ ଦୁଇ ପାର୍ଶ୍ୱର ରାସ୍ତା ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି। ସେତୁର ଉଭୟ ପାର୍ଶ୍ୱରେ ପାଣି ଭରି ରହିଥିବାରୁ ରାତି ସମୟରେ ଏହି ସ୍ଥାନ ବିପଦପୂର୍ଣ୍ଣ ହୋଇପଡ଼ିଛି। ବାଇକ୍ ଖସିପଡ଼ିବା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ତୁରନ୍ତ ଯାଜପୁର ମେଡିକାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ସଂଧ୍ୟାରାଣୀ ଓଝାଙ୍କୁ ମୃତ ଘୋଷଣା କରିଥିବାବେଳେ ସତ୍ୟବ୍ରତ ଓ ତାଙ୍କ ୩ ବର୍ଷର ପୁଅ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେତୁରେ ସୁରକ୍ଷା ବାଡ଼ ନଥିବା ଏବଂ ରାସ୍ତାର ଦୁରବସ୍ଥା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଥିବାବେଳେ, ତୁରନ୍ତ ସେତୁର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ନିର୍ମାଣ ସହ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।