ଜୟପାଟଣା, ୧୧/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହ-ଶିକ୍ଷକଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଓ ଗ୍ରାମବାସୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ମୋବାଇଲ୍ ଫୋନ୍ରେ ବ୍ୟସ୍ତ ରହୁଥିବା ଏବଂ ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରି ସ୍କୁଲ ପରିସରରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଡ଼ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ-ଶିକ୍ଷକ ହିତେଶ ବେହେରା ସ୍କୁଲ ସମୟରେ ନିୟମିତ ଭାବେ ପାଠଦାନ ନକରି ବାହାରେ ବୁଲାବୁଲି କରିବା ସହ ମୋବାଇଲ୍ ଫୋନ୍ରେ ସମୟ ବିତାଉଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଦୀର୍ଘଦିନ ଧରି ଏଭଳି ସ୍ଥିତି ଲାଗି ରହିବା ପରେ ଗ୍ରାମର କିଛି ବ୍ୟକ୍ତି ସ୍କୁଲକୁ ଯାଇ ଶିକ୍ଷକଙ୍କୁ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବା ଏବଂ ପିଲାଙ୍କ ଭବିଷ୍ୟତ ପ୍ରତି ଦାୟିତ୍ୱଶୀଳ ହେବାକୁ ଅନୁରୋଧ କରିଥିଲେ। ତେବେ, ଅଭିଯୋଗ ଅନୁସାରେ ଶିକ୍ଷକ ନିଜ ଆଚରଣରେ ସୁଧାର ଆଣିବା ପରିବର୍ତ୍ତେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରି ସ୍କୁଲ ପରିସରରୁ ବାହାର କରିଦେଇଥିଲେ ବୋଲି ଦାବି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାର ସୁଧାର ଓ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
– ରିତେଶ କୁମାର ମୁଣ୍ଡ, ଜୟପାଟଣା (ନବଦୂତ ନ୍ୟୁଜ୍)
