ବାଲେଶ୍ୱର, ୧୧/୦୭ ( ପ୍ରଭାକର ମଲ୍ଲିକ ) : ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ୟତମ ଆକର୍ଷଣ ହେଉଛି ଦେବକୁଣ୍ଡ। ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱର୍ଗପାଲଟି ଯାଏ। ଶିମିଳିପାଳର ଉଚ୍ଚ ପାହାଡ଼ରୁ ଖସି ଆସୁଥିବା କୁଳୁକୁଳୁ ଝରଣାର କଳରବ ଓ ସବୁଜ ବନାନୀର ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଏହି ଝରଣାର ନିକଟବର୍ତ୍ତୀ ପାହାଡ଼ ଉପରେ କାଳଜୟୀ ମା' ଅମ୍ବିକାଙ୍କ ପୀଠ ଅବସ୍ଥିତ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ମା'ଙ୍କ ଦର୍ଶନ କରି ନିଜକୁ ଆଧ୍ୟାତ୍ମିକତାରେ ହଜାଇ ଦିଅନ୍ତି। ବର୍ଷା ଋତୁରେ ଶିମିଳିପାଳ ଟାଇଗର ରିଜର୍ଭ ବନ୍ଦ ଥିଲେ ମଧ୍ୟ, ଦେବକୁଣ୍ଡରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଉଦଳା (କପ୍ତିପଦା ଉପଖଣ୍ଡ) ରୁ ମୁଖ୍ୟ ଫାଟକ ପ୍ରାୟ ୨୨ କି.ମି.। ମୁଖ୍ୟ ଫାଟକ ପରେ ବ୍ୟାଟେରୀ ଚାଳିତ ଗାଡ଼ିରେ ୫ କି.ମି. ଏବଂ ପରେ ଦ୍ୱିତୀୟ ଫାଟକରୁ ପ୍ରାୟ ୨ କି.ମି. ପାଦରେ ଚାଲିବାକୁ ପଡ଼େ। ଶେଷରେ ପ୍ରାୟ ୩୦୦ରୁ ଅଧିକ ପାହାଚ ଚଢ଼ି ମା'ଙ୍କ ଦର୍ଶନ ପାଇଁ ପହଞ୍ଚିବାକୁ ହୁଏ। ଓଡ଼ିଶାର ବିଭିନ୍ନ ଜିଲ୍ଲା (ବାଲେଶ୍ୱର, ଭଦ୍ରକ କେନ୍ଦୁଝର ) ସହ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସୁଛନ୍ତି। ଦେବକୁଣ୍ଡର ପର୍ଯ୍ୟଟନ କ୍ଷମତା ଅଧିକ ଥିଲେ ମଧ୍ୟ କିଛି ମୌଳିକ ସମସ୍ୟା ରହିଛି: ଉନ୍ନତ ଯୋଗାଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି। ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳର ଅଭାବ। ରାସ୍ତା କଡ଼ରେ କ୍ଳାନ୍ତ ପର୍ଯ୍ୟଟକଙ୍କ ପାଇଁ ବସିବା ବା ବିଶ୍ରାମ ନେବାର ସୁବିଧା ନାହିଁ। ସରକାର ଯଦି ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଦିଗରେ ଦୃଷ୍ଟି ଦିଅନ୍ତି, ତେବେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ସୃଷ୍ଟି ହୋଇପାରିବ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
