ଯାଜପୁର ଜିଲ୍ଲା ସ୍ତରରେ ‘ଭିବି-ଜି ରାମ ଜି’ ଯୋଜନାର ଜାତୀୟ ଶୁଭାରମ୍ଭର ସିଧାପ୍ରସାରଣ: ---ଯୋଗଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ବିଂଝାରପୁର, ୦୨/୦୭ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରରେ ‘ବିକଶିତ ଭାରତ – ଗ୍ୟାରେଣ୍ଟି ଫର ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ ଅର୍ଥାତ୍ ‘ଭିବି-ଜି ରାମ ଜି’ (VB-G RAM G) କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ସମାବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ଆୟୋଜନ ଓ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଆନ୍ଧ୍ରପ୍ରଦେଶରୁ ସିଧାସଳଖ ପ୍ରସାରିତ ହୋଇଥିବା ଜାତୀୟ ସ୍ତରୀୟ ଉଦ୍ଘାଟନୀ ଉତ୍ସବର ସିଧା ପ୍ରସାରଣ (Live Streaming) ପ୍ରଦର୍ଶିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ଯୋଗ ଦେଇ କହିଲେ ସମଗ୍ର ଭାରତ ବର୍ଷରେ ଆଜି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ୧ ଜୁଲାଇ ୨୦୨୬ ଠାରୁ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଲାଗୁ ହେଉଥିବା ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ଯ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ଆଇନଗତ ମଜୁରୀ ଭିତ୍ତିକ ନିଯୁକ୍ତିର ଗ୍ୟାରେଣ୍ଟି ପ୍ରଦାନ କରାଯିବା ସହ ଦୈନିକ ମଜୁରୀ ବାବଦକୁ ୩୦୦ଟଙ୍କା ପ୍ରଦାନ କରାଯିବ । ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ପଞ୍ଚାୟତସ୍ତରରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଗୁଡିକୁ ଗ୍ରହଣ କଲେ ଗ୍ରାମାଞ୍ଚଳର ଉନ୍ନତି ହେବା ସହ ପଞ୍ଚାୟତର ଆର୍ଥିକ ବିକାଶ ହୋଇପାରିବ । ଜଳ ସୁରକ୍ଷା , ମୂଳ ଗ୍ରାମୀଣ ଭିତ୍ତିଭୂମିର ବିକାଶ, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ସୃଷ୍ଟି ଏବଂ ଚରମ ପାଣିପାଗ ବିପର୍ଯ୍ୟୟ ପ୍ରଶମନ ମାଧ୍ୟମରେ ସଶକ୍ତ ଓ ସମୃଦ୍ଧ ଗ୍ରାମ ଗଠନ କରିବା ଏହି ଯୋଜନାର ଲକ୍ଷ୍ୟ । ସମସ୍ତଙ୍କର ସହଭାଗିତା ରହିଲେ ଏହି ଯୋଜନା ନିଶ୍ଚିତ ଫଳପ୍ରଦ ହୋଇପାରିବ । ସୁଦୃଢ ପଞ୍ଚାୟତ ଗଠନ ପାଇଁ ସୁଦୃଢ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଆୟୋଜିତ ଏହି ମୂଳ ମେଗା କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ତଥା କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ରୋଜଗାରର ଅଧିକାରକୁ ସୁନିଶ୍ଚିତ କରିବା ସହ ବାର୍ଷିକ କାର୍ଯ୍ୟ ଦିବସକୁ ୧୦୦ ରୁ ୧୨୫ ଦିନକୁ ବୃଦ୍ଧି କରାଯାଇଥିବା ଘୋଷଣା କରିଥିଲେ। ଯାଜପୁର ଜିଲ୍ଲା ସ୍ତରୀୟ ଏହି ପ୍ରେକ୍ଷାଳୟରେ ଉପସ୍ଥିତ ଥିବା ବହୁ ସଂଖ୍ୟକ ସରକାରୀ ପଦାଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଜନସାଧାରଣ ସିଧା ପ୍ରସାରଣ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଶୁଣିବା ସହ ନୂତନ ଯୋଜନାର ରୂପରେଖ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ନୂତନ ଆକ୍ଟ ଅଧୀନରେ ଗ୍ରାମୀଣ ଅଞ୍ଚଳରେ ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀକୁ ବୃଦ୍ଧି କରାଯାଇ ୩୦୦ ଟଙ୍କା କରାଯିବା ଏବଂ ଗ୍ରାମୀଣ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ଉଦ୍ୟମରେ ଆୟୋଜିତ ଏହି ସଫଳ ଡିଜିଟାଲ୍ ସଂଯୋଗୀକରଣ କାର୍ଯ୍ୟକ୍ରମ ଜିଲ୍ଲାର ଗ୍ରାମୀଣ ଅର୍ଥନୀତି ଓ ନିଯୁକ୍ତି ସୁଯୋଗର ବିକାଶ ଦିଗରେ ଏକ ନୂଆ ସଚେତନତା ସୃଷ୍ଟି କରିପାରିଛି।