ରାସ୍ତା ନୁହେଁ ତ ଯମଯନ୍ତା! ମୁଖିଗୁଡା-ମୋଟେର ରାଜ୍ୟ ରାଜପଥରେ ନିତିଦିନିଆ ଦୁର୍ଘଟଣା, ପ୍ରଶାସନ ନିଦ୍ରାଭଙ୍ଗ କେବେ?
ଧର୍ମଗଡ଼, ୧୭/୦୬ ( ରିତେଶ କୁମାର ମୁଣ୍ଡ ) : ରାସ୍ତା ଅଛି କିନ୍ତୁ ଚାଲିବାକୁ ଭୟ ଲାଗୁଛି। ପାଦେ ଚାଲିଲେ ଶହେ ପ୍ରତିବନ୍ଧକ ଆଉ ଟିକିଏ ଅସାବଧାନ ହେଲେ ସିଧା ମୃତ୍ୟୁମୁଖ। କଳାହାଣ୍ଡି ଜିଲ୍ଲା ମୋଟେର ରୁ ମୂଖିଗୁଡା କୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥ (State Highway 26 - PWD) ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଖଲିଆଭଟା ଖଟୁଲୁ ଗୁଡା ନିକଟରେ ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ଏଠାରେ ଯାତ୍ରା କରିବା ପ୍ରତି ମୁହୂର୍ତ୍ତରେ ଜୀବନ ସହ ଖେଳିବା ସଦୃଶ ହୋଇଛି।" ମୋଟେର -ମୂଖିଗୁଡା ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଏବଂ ଏ ପଟେ ଭବାନୀପାଟଣା ଜୟପୁର କୁ ସଂଯୋଗ କରୁ ଥିବା ବେଳ ଶତାଧିକ ଜନସାଧାରଣ ଯାତାୟାତ କରୁଛନ୍ତି। ମାତ୍ର ଖଲିଆଭଟା ଖଟଳୁ ଗୁଡା ରୁ କ୍ରସର କେନାଲ ଛକ ମାଝୀ ରେ ଓ ମୋଟେର ବଙ୍ଗଳା ନିକଟରେ ରାସ୍ତାର ପିଚୁ ଛାଡ଼ି ଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଦିନ ହେଉ କି ରାତି, ଅତି ଶୋଚନୀୟ ଭାବେ ଖାଲ ହୋଇ ରହିଥିବା ଏହି ରାସ୍ତାରେ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ରାସ୍ତାରେ ପ୍ରତିଦିନ ବିଭାଗୀୟ ଅଧିକାରୀ (PWD Officials) ଏବଂ ଶାସନ କଳର ପ୍ରଶାସକମାନେ ଯିବା ଆସିବା କରୁଛନ୍ତି। ଜନସାଧାରଣଙ୍କ ସମସ୍ୟା ଓ ଯନ୍ତ୍ରଣା ଆଖି ଆଗରେ ଘଟୁଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଦୀର୍ଘ ଦିନରୁ ଏହି ରାସ୍ତା ଶୋଚନୀୟ ହୋଇ ପଡ଼ି ରହିଥିଲେ ସୁଦ୍ଧା ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ରାତିର ଅନ୍ଧକାରରେ ଏହି ରାସ୍ତାର ଅବସ୍ଥା ଆହୁରି ଭୟଙ୍କର ରୂପ ଧାରଣ କରୁଛି। ନୂତନ ଗାଡ଼ି ଚାଳକ କିମ୍ବା ବାହାର ଲୋକେ ଏଠାରେ ଅନେକ ସମୟରେ ଗୁରୁତର ଦୁର୍ଘଟଣାର ଶିକାର ହେଉଛନ୍ତି। ଯଦି ପ୍ରଶାସନ ଏବଂ PWD ବିଭାଗ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜପଥକୁ ଓହ୍ଲାଇବା ସହ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।" ତେବେ ଦେଖିବାକୁ ବାକି ରହିଲା, ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ଏବଂ ରଣମାଳ ଓ ଖଲିଆଭଟା ଅଞ୍ଚଳବାସୀଙ୍କୁ କେବେ ଏହି ଜୀବନନାଶକ ରାସ୍ତାରୁ ମୁକ୍ତି ମିଳୁଛି।