Hot Posts

6/recent/ticker-posts

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି

ଝରିଗାଁ, ୨୪/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମରେ ଆଜି ଭକ୍ତି ଓ ଉତ୍ସାହର ସହ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଛି। ଗୁଣ୍ଡିଚା ଘରରେ ନବଦିନାତ୍ମକ ଲୀଳା ସମାପ୍ତ କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ରଥାରୂଢ଼ ହୋଇ ନିଜ ଆସ୍ଥାନ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ। ସକାଳୁ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଖେଚୁଡ଼ି ଭୋଗ, ସେନାପଟା ଲାଗି ଓ ଧାଡ଼ି ପହଣ୍ଡି ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ପ୍ରାୟ ୫ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନି, ଭଜନ-କୀର୍ତ୍ତନ ଓ ନୃତ୍ୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ବାହୁଡ଼ା ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରଥଯାତ୍ରା ଅବସରରେ ବିଭିନ୍ନ ପ୍ରକାରର ଅସ୍ଥାୟୀ ଦୋକାନ ବସିଥିବା ବେଳେ ବ୍ୟବସାୟ ମଧ୍ୟ ଭଲ ହୋଇଥିବା ଦୋକାନୀମାନେ କହିଛନ୍ତି। ବାହୁଡ଼ା ବାଟରେ ମାଉସୀ ମା' ପୀଠରେ ମହାପ୍ରଭୁ ପୋଡ଼ପିଠା ଭୋଗ ଗ୍ରହଣ କରିବା ପରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲେ। ହଜାର ହଜାର ଭକ୍ତ ରଥ ଟାଣି ପୁଣ୍ୟ ଲାଭ କରିଥିଲେ। ବାହୁଡ଼ା ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଡାବୁଗାଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା। ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଆସନ୍ତାକାଲି ମହାପ୍ରଭୁଙ୍କ ପ୍ରସିଦ୍ଧ ସୁନାବେଶ, ପରେ ଅଧରପଣା ଓ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ରାମଲିଙ୍ଗେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।