ରାୟଗଡା ଜିଲ୍ଲା ପାଠ୍ୟ ପୁସ୍ତକ ତ୍ରୁଟି କୁ ନେଇ ବିଜୁ ଜନତା ର ଜିଲ୍ଲାପାଳ କୁ ଦାବିପତ୍ର
ରାୟଗଡା, ୧୪/୦୭ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ରାୟଗଡ଼ାରେ ତେଜିଛି ରାଜନୈତିକ ପ୍ରତିବାଦ। ବିଜୁ ଯୁବ - ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାୟଗଡ଼ା ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଆଜି ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କପିଳାଶ ଛକରେ ଶତାଧିକ କର୍ମୀ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ସ୍ଲୋଗାନବାଜି କରିଥିଲେ। ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଅବହେଳା ଅଭିଯୋଗ କରି କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହାପରେ ଦଳର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଶିକ୍ଷା ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ଦାବି କରାଯାଇଛି। ଏଥିସହ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ସାରା ଜିଲ୍ଲାରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।