କଳାହାଣ୍ଡି, ୧୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି, ତାହାର ଆଉ ଏକ ହୃଦୟବିଦାରକ ଚିତ୍ର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଳାଭଟା ଗ୍ରାମ ପଞ୍ଚାୟତର ଦାବିରୀଘାଟି ଗାଁରୁ ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା। ଫଳରେ ଜଣେ ଗର୍ଭବତୀଙ୍କୁ ଟ୍ରାକ୍ଟରରେ ହସ୍ପିଟାଲକୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଜୟପାଟଣା ବ୍ଲକ ଅଁଳାଭଟା ଗ୍ରାମ ପଞ୍ଚାୟତର ଦାବିରୀଘାଟି ଗାଁର ବାସିନ୍ଦା ଉମିଲା ମାଝୀଙ୍କର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦାବିରୀଘାଟି ପହଞ୍ଚି ପାରିନଥିଲା ଏବଂ ଚଚରାଗୁଡ଼ା ଗାଁରେ ଅପେକ୍ଷା କରିଥିଲା। ଏହାପରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ପ୍ରସୂତିଙ୍କୁ ଏକ ଟ୍ରାକ୍ଟରରେ ପ୍ରାୟ ୧୦ କିଲୋମିଟର ଦୂର ନେଇ ଯାଉଥିବା ବେଳେ ରାସ୍ତା ମଝିରେ ହିଁ ଉମିଲା ମାଝୀ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଚଚରାଗୁଡ଼ାରୁ ଆମ୍ବୁଲାନ୍ସ ଯୋଗେ ମା' ଓ ନବଜାତ ଶିଶୁଙ୍କୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ତେବେ ପ୍ରସୂତିଙ୍କ ଶରୀରରେ ରକ୍ତର ଅଭାବ ଥିବା ସହ ସେ ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟ ମା' ଓ ଶିଶୁଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଆଜି ବି ରାସ୍ତା ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା ଏହି ଘଟଣା ପୁଣିଥରେ ପଦାକୁ ଆଣିଛି। ତୁରନ୍ତ ପକ୍କା ରାସ୍ତା ନିର୍ମାଣ ସହ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଗ୍ରାମବାସୀମାନେ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
