ବିଡାନାସୀ କୃଷକ ବଜାର ଅଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା
କଟକ, ୦୯/୦୭ ( କାହୁଁ ଚରଣ ବାରିକ ) : କଟକ ସଦର ତହସିଲ ଅନ୍ତର୍ଗତ ବିଡାନାସୀ କୃଷକ ବଜାର ଓ ବିଡାନାସୀ ପୁଲିସ ଷ୍ଟେସନ ଅଞ୍ଚଳରେ ଭାରୀ ବାଣିଜ୍ୟିକ ଯାନ ଓ ଅନ୍ୟାନ୍ୟ ଭାରୀ ଯାନର ନିୟମିତ ଚଳାଚଳ ଯୋଗୁଁ ସାଧାରଣ ଜନତା, ସ୍ଥାନୀୟ ବାସିନ୍ଦା ଓ କୃଷକ ବଜାରକୁ ଆସୁଥିବା ବ୍ୟବସାୟୀ ଓ ଦୈନିକ ବଜାର କରିବାକୁ ଆସୁଥିବା ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦ୍ରୁତ ଗତିରେ ତଥା ବିପଦଜନକ ଭାବେ ଭାରୀ ଯାନ ଚଳାଚଳ କାରଣରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି ଏବଂ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଆର.ଟି.ଏ. ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ , ମୋଟର ଯାନ ଆଇନ, ୧୯୮୮ ଓ ଓଡ଼ିଶା ମୋଟର ଯାନ ନିୟମାବଳୀ, ୧୯୯୩ ଅନୁଯାୟୀ ବିଡାନାସୀ କୃଷକ ବଜାର ଭିତର ରାସ୍ତାରେ ଭାରୀ ବାଣିଜ୍ୟିକ ଯାନ ଓ ଅନ୍ୟ ସମସ୍ତ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଅନୁଯାୟୀ କୃଷକ ବଜାର ଭିତର ରାସ୍ତାରେ ବାଣିଜ୍ୟିକ ଭାରିଯାନ ସମେତ ଅନ୍ୟ କୌଣସି ଭାରିଯାନ ଚଳାଚଳ ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଭାରୀ ଯାନଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଏହି ଅଞ୍ଚଳରେ ଆବଶ୍ୟକୀୟ ସୂଚନା ଫଳକ, ସତର୍କ ସୂଚନା ବୋର୍ଡ ଓ ଟ୍ରାଫିକ ସଙ୍କେତ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ୦୮ ଜୁଲାଇ, ୨୦୨୬ ସକାଳ ୫ ଘଟିକା ଠାରୁ ୦୭ ଅଗଷ୍ଟ, ୨୦୨୬ ପର୍ଯ୍ୟନ୍ତ( ୨୪ ଘଣ୍ଟିଆ ) ବଳବତ୍ତର ରହିବ । ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ କୃଷକ ବଜାରରେ ସୁରୁଖୁରୁରେ ବ୍ୟବସାୟ ପରିଚାଳନା ପାଇଁ ସମସ୍ତ ଚାଳକ ଓ ସାଧାରଣ ଲୋକଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।