ଦବେଡ଼ି ଗ୍ରାମରେ ୭ ମାସ ହେଲା ସୋଲାର ପ୍ରକଳ୍ପ ଅଚଳ : ଲୋକଙ୍କ ଭରସା ସାଜିଛି ପାହାଡ଼ ର ଦୂଷିତ ଝରଣା ପାଣି.?
ଫିରିଙ୍ଗିଆ, ୧୭/୦୭ ( ବାଳକୃଷ୍ଣ କହଁର ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ପ୍ରକଳ୍ପମାନ କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ପ୍ରଶାସନିକ ଉଦାସୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ର ଦବେଡ଼ି ଗ୍ରାମରେ। ସ୍ଥାପିତ ହୋଇଥିବା ସୋଲାର ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘ ୭ ମାସ ହେଲା ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ଏହି ଗ୍ରାମରେ ୧୨୦ ପରିବାର ର ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ପାନୀୟ ଜଳ ର କୌଣସି ସୁବିଧା ନଥିବା ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଦୂଷିତ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମରେ ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ଏହି ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରାରମ୍ଭିକ ଦିନରେ ଏହା ଠିକ୍ ଭାବେ ଚାଲିଥିଲେ ମଧ୍ୟ ଗତ ୭ ମାସ ତଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସେବେଠାରୁ ବନ୍ଦ ରହିଥିବା ଏହି ପ୍ରକଳ୍ପକୁ ସଜାଡ଼ିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଖବର ପାଇ ବିଭାଗୀୟ କତୃପକ୍ଷ ମରାମତି କରିବା ନିମନ୍ତେ ଯାଇଥିଲେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ମରାମତି କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପ୍ରକଳ୍ପର ପାଇପ୍ ଓ ଟ୍ୟାଙ୍କି ଏବେ କେବଳ ଶୋଭାବର୍ଦ୍ଧନ କରୁଛି।ଗ୍ରାମରେ ଅନ୍ୟ ବସୁଧା ପାନୀୟ ଜଳ ର ମଧ୍ୟ ବ୍ୟବସ୍ଥା ନଥିବାରୁ ମହିଳା ଓ ଶିଶୁମାନେ ଦୀର୍ଘ ୨ କିଲୋମିଟର ଦୂର ଅତିକ୍ରମ କରି ପାହାଡ଼ିଆ ଝରଣାରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି । ଝରଣାର ଦୂଷିତ ଓ ଆବିଳ ଜଳକୁ ବ୍ୟବହାର କରିବା ଫଳରେ ଗ୍ରାମରେ ଝାଡ଼ାବାନ୍ତି, ଚର୍ମରୋଗ ଓ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ବର୍ଷା ଦିନେ ଏହି ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରୁଛି। ଗ୍ରାମବାସୀ କହିବା ଅନୁଯାୟୀ, ପ୍ରକଳ୍ପଟି ଖରାପ ହେବା ଦିନଠାରୁ ଆମେ ଅନେକ ଥର ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚଙ୍କୁ ଗୁହାରି କରିଛୁ। କେବଳ ପ୍ରତିଶ୍ରୁତି ମିଳୁଛି କିନ୍ତୁ କାମ କିଛି ହେଉନାହିଁ। ସରକାରୀ ବାବୁମାନେ ଆସି ଦେଖି ଯାଉଛନ୍ତି ସିନା ହେଲେ ମରାମତି ପାଇଁ କେହି ଆଗ୍ରହ ଦେଖାଉନାହାନ୍ତି। ଏହି ଜଳ ସଙ୍କଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟା ବିଷୟରେ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ କ୍ଷୀରୋଦ ରାଉତ ଙ୍କୁ ପଚାରିବାରୁ କହିଲେ, ଆମେ ସେହି ଗ୍ରାମକୁ ଯାଇ ମରାମତି କରୁଥିଲୁ ସେଇଠି ପାଣି ଯଥେଷ୍ଟ ନ ଥିବା ଯୋଗୁଁ ସେଠି ପାଣି ବାହାରିଲାନାହିଁ ଏବଂ ଆମେ ଅନ୍ୟତ୍ର ଦୁଇ ଟି ଜାଗା ରେ ନୂତନ ନଳକୂପ ନିମନ୍ତେ ଖୋଳୁଥିଲୁ ସେଠି ମଧ୍ୟ ପାଣି ନ ବାହାରିବାରୁ ଆମେ ଫେରିକି ଆସିଲୁ ବୋଲି କହିଛନ୍ତି। ଏପଟେ ଉକ୍ତ ଗ୍ରାମର ପ୍ରତିମା ପ୍ରଧାନ, ରୂପେଲି ପ୍ରଧାନ, ଶାନ୍ତିଲତା ପ୍ରଧାନ, ମିନି ପାଟମାଝି, ପ୍ରଶାନ୍ତ ମୁଠାମାଝୀ ସମେତ ସମସ୍ତ ଗ୍ରାମ ବାସୀ କହିଛନ୍ତି। ଯଦି ଆଗାମୀ ଦିନରେ ପ୍ରଶାସନ ତୁରନ୍ତ ଏହି ସୋଲାର ପ୍ରକଳ୍ପର ମରାମତି ନକରେ ଏବଂ ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ନଦିଏ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ କୌଣସି ଅସୁବିଧା ହୁଏ ତେବେ ବିଭାଗୀୟ ଅଧିକାରୀ ଦ୍ଵାୟୀ ରହିବେ ବୋଲି କହିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ