ଜୁନାଗଡ଼, ୧୨/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ବିଦ୍ୟାଳୟର କବାଟ ଭାଙ୍ଗି ୪ଟି କମ୍ପ୍ୟୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ରାତିରେ ଚୋରମାନେ କବାଟ ଭାଙ୍ଗି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ଶନିବାର ସକାଳେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସି କବାଟ ଭଙ୍ଗା ଥିବା ଦେଖିଥିଲେ। ପରେ ଯାଞ୍ଚ କରିବାରୁ ୪ଟି କମ୍ପ୍ୟୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଏ ନେଇ ପ୍ରଧାନ ଶିକ୍ଷକ ଜୁନାଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଚୋରମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ସରକାରୀ ବିଦ୍ୟାଳୟରେ ଏଭଳି ଚୋରି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋଲିସ ଖୁବଶୀଘ୍ର ଚୋରମାନଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିବ ବୋଲି ଆଶା କରାଯାଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ

