ସେବାର ସ୍ୱପ୍ନ ଅଧାରେ ରହିଗଲା: ବିଏସ୍ସି ନର୍ସିଂ ଛାତ୍ରୀ ମାତେଶ୍ରୀ ସଗରିଆଙ୍କ ଅକାଳ ବିୟୋଗ
ନୂଆପଡ଼ା, ୦୧/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମରେ ବୁଧବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଆକବର ସଗରିଆଙ୍କ ଝିଅ ତଥା ଖରୀଆର ରୋଡ଼ସ୍ଥିତ ଶ୍ରୀଜଗନ୍ନାଥ ନସିଂ କଲେଜର ବିଏସ୍ସି ନସିଂ ଶେଷ ବର୍ଷର ଛାତ୍ରୀ ମାତେଶ୍ରୀ ସଗରିଆଙ୍କ ହଠାତ୍ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ମାତେଶ୍ରୀଙ୍କ ହଠାତ୍ ରକ୍ତଚାପ କମିଯାଇଥିଲା ଏବଂ ବାନ୍ତି ହୋଇଥିଲା । ଦେଖୁଦେଖୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଖଡ଼ିଆଳ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତରୀ ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମାତେଶ୍ରୀ ସଗରିଆ ଜଣେ ମେଧାବୀ, ଶୃଙ୍ଖଳିତ ଓ ମିଷ୍ଟଭାଷୀ ଛାତ୍ରୀ ଭାବେ ପରିଚିତ ଥିଲେ। ନସିଂ ଶିକ୍ଷା ସମାପ୍ତ କରି ରୋଗୀଙ୍କ ସେବା କରିବା ଏବଂ ସମାଜ ପାଇଁ କିଛି କରିବାର ସ୍ବପ୍ନ ନେଇ ସେ ଆଗକୁ ବଢ଼ୁଥିଲେ। କିନ୍ତୁ ନିୟତିର ନିଷ୍ଠୁର ଆଘାତରେ ତାଙ୍କର ସମସ୍ତ ସ୍ବପ୍ନ ଅଧାରେ ରହିଗଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ତରାପୁର ଗ୍ରାମରେ ଶୋକର ପରିବେଶ ସୃଷ୍ଟି ହୋଇଛି। ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଥିବା ବେଳେ ସହପାଠୀ, ଶିକ୍ଷକ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ଉଦୀୟମାନ ନସିଂ ଛାତ୍ରୀଙ୍କ ଏଭଳି ଅକାଳ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।