Hot Posts

6/recent/ticker-posts

କଟକ ଚହଟା ଛକରୁ ମଧୁସେତୁ ପର୍ଯ୍ୟନ୍ତ ୬ ଲେନ୍ ରାସ୍ତା ଭୁଶୁଡ଼ି ପଡ଼ିବା ଘଟଣା ସ୍ଥଳ ପରିଦର୍ଶନ କଲେ କଟକ ମେୟର ଶ୍ରୀ ସୁବାସ ସିଂହ। ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀଙ୍କୁ ଗିରଫ କରିବାକୁ ଦାବି !

କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : ଚହଟା ଛକରୁ ମଧୁସେତୁ ପର୍ଯ୍ୟନ୍ତ ନିର୍ମିତ ୬ ଲେନ୍ ରାସ୍ତାର ଏକାଧିକ ସ୍ଥାନରେ ରାସ୍ତା ଭୁଶୁଡ଼ି ପଡ଼ିବା ଘଟଣାକୁ କଟକ ସହରବାସୀଙ୍କ ସୁରକ୍ଷା ଓ ସରକାରୀ ଅର୍ଥର ଅପଚୟ ସହ ଜଡିତ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି କଟକ ମହାନଗର ନିଗମର ମେୟର ସୁବାସ ସିଂହ। ଘଟଣା ସମ୍ପର୍କରେ ଖବର ପାଇବା ପରେ ମେୟର ସିଂହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ସ୍ଥାନୀୟ କର୍ପୋରେଟର ଏବଂ ସ୍ତାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ପରେ ମେୟର ସୁବାସ ସିଂହ କହିଥିଲେ ଯେ, ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ (ଲୋ ଗ୍ରେଡ୍ ୱର୍କ) ହୋଇଥିବାର ପ୍ରାଥମିକ ସନ୍ଦେହ ସୃଷ୍ଟି ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଭଳି ଗୁରୁତ୍ୱପୂର୍ଣ୍ଣ ସଡ଼କ ଅଳ୍ପ ସମୟ ମଧ୍ୟରେ ଭୁଶୁଡ଼ି ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ। ଏହା ସରକାରୀ ଅର୍ଥର ସଠିକ୍ ବିନିଯୋଗ ଓ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ମେୟର ଅଭିଯୋଗ କରି କହିଥିଲେ ଯେ, ରାସ୍ତା ନିର୍ମାଣ ସମୟରେ ଆର୍ ଆଣ୍ଡ ବି (R&B) ବିଭାଗର ତଦାରଖ ଓ ସୁପରଭିଜନରେ ଗୁରୁତର ଅବହେଳା ପରିଲକ୍ଷିତ ହୋଇଛି। ଯଦି ସଠିକ୍ ଭାବେ ତଦାରଖ କରାଯାଇଥାନ୍ତା, ତେବେ ଏଭଳି ଅବସ୍ଥା ସୃଷ୍ଟି ହୋଇନଥାନ୍ତା। ଏହି ଘଟଣା ପଛରେ ଥିବା ସମସ୍ତ ତ୍ରୁଟି ଓ ଦାୟିତ୍ୱକୁ ଚିହ୍ନଟ କରାଯିବା ଆବଶ୍ୟକ। ସେ ଦାବି କରିଛନ୍ତି ଯେ, ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା, ନିମ୍ନମାନର କାର୍ଯ୍ୟ ଏବଂ ତଦାରଖରେ ହୋଇଥିବା ଅବହେଳାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଲୋକଙ୍କ ସମ୍ମୁଖକୁ ଅଣାଯାଉ। ମେୟର ଶ୍ରୀ ସୁବାସ ସିଂହ ଆହୁରି କହିଥିଲେ ଯେ, ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଘଟଣା ସହ ସମ୍ପୃକ୍ତ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ବହିଷ୍କାର (ସସ୍ପେଣ୍ଡ) କରାଯିବା ଆବଶ୍ୟକ, ଯାହାଦ୍ୱାରା ତଦନ୍ତ ପ୍ରକ୍ରିୟା ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ ହୋଇପାରିବ। ଦୋଷୀ ଅଧିକାରୀ ଓ ସଂସ୍ଥା ବିରୋଧରେ କଠୋର ପ୍ରଶାସନିକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଶେଷରେ ମେୟର କହିଥିଲେ ଯେ, ସହରର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକରେ କୌଣସି ପ୍ରକାରର ନିମ୍ନମାନର କାର୍ଯ୍ୟ କିମ୍ବା ଦୁର୍ନୀତିକୁ କଦାପି ବରଦାସ୍ତ କରାଯିବ ନାହିଁ। ଜନସାଧାରଣଙ୍କ ଅର୍ଥରେ ନିର୍ମିତ ପ୍ରତ୍ୟେକ ପ୍ରକଳ୍ପରେ ଗୁଣାତ୍ମକ ମାନ ବଜାୟ ରଖିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସେ ପୁଣିଥରେ ଦାବି କରିଛନ୍ତି। ଏହି ପରିଦର୍ଶନ ସମୟରେ ସ୍ତାନୀୟ କର୍ପୋରେଟର ପୁଷ୍ପିତା ମହାନ୍ତି , ଅକ୍ଷୟ ମହାନ୍ତି , ଯୁବ ନେତା ସକିଲ ଅଖତର , ସ୍ତାନୀୟ ଜନସାଧାରଣ ପ୍ରଭୁତି ଘଟଣା ସ୍ତଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।