ଜନ୍ମଦିନରେ ସେବାମୂଳକ କାର୍ଯ୍ୟ: ବୃକ୍ଷରୋପଣ ଓ ରୋଗୀଙ୍କୁ ଖାଦ୍ୟ ବଣ୍ଟନ କଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ
ନୂଆପଡା, ୧୪/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଜନ୍ମଦିନ ଅବସରରେ ସୋମବାର ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଦୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକଙ୍କ ସମର୍ଥକ, ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଓ ବହୁ କର୍ମୀ ଯୋଗଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ସେହିପରି ସମଲେଇ ସେନା ପକ୍ଷରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ସେବାମୂଳକ କାର୍ଯ୍ୟକ୍ରମରେ ବିଧାୟକ ଅଧୀରାଜ ପାଣିଗ୍ରାହୀ ନିଜେ ଉପସ୍ଥିତ ରହି ରୋଗୀ ଓ ପରିଜନଙ୍କ ହାତରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ। ସେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରି ସମସ୍ତଙ୍କ ସୁସ୍ଥତା କାମନା କରିଥିଲେ। ଜନ୍ମଦିନକୁ ସେବା ଓ ସମାଜକଲ୍ୟାଣମୂଳକ କାର୍ଯ୍ୟ ମାଧ୍ୟମରେ ପାଳନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ସ୍ୱାଗତ କରାଯାଇଛି। ବିଭିନ୍ନ ମହଳର ଲୋକ ବିଧାୟକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିବା ଜଣାପଡ଼ିଛି।