ମନ୍ତ୍ରୀ ରବି ନାରାୟଣ ନାଏକ ଦ୍ୱାରା ବରଗଡ ଜିଲ୍ଲା ପଦ୍ମପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ୧୪୦.୮୩ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ।
ବରଗଡ, ୧୦/୦୭ ( ଆଶିଷ କୁମାର ଭୋଇ ) : ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଗ ଅନ୍ତର୍ଗତ ପଦ୍ମପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ବିଭିନ୍ନ ଜନହିତକର ପ୍ରକଳ୍ପ ଗୁଡ଼ିକର ଏକ ଭବ୍ୟ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଆର୍. ଏମ୍. ସି. ପଡ଼ିଆରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ପ୍ରୀତମ ମେହେର, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଧନ ଭୋଇ, ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ କୁଲୁ,ଏବଂ ସମ୍ବଲପୁରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀଯୁକ୍ତ ସୁଜିତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବମୋଟ ୧୪୦.୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ସମ୍ପନ୍ନ ହୋଇଛି । ଏଥିମଧ୍ୟରୁ ୫୧.୦୬ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ ୮୯.୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଶେଷ ହୋଇଥିବା ୧୫ଟି ପ୍ରକଳ୍ପର ଲୋକାର୍ପଣ କରାଯାଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି।ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୪୧.୨୬ କୋଟି ଟଙ୍କା ବ୍ୟୟରେ ୭ଟି ପ୍ରମୁଖ ଗ୍ରାମ୍ୟ ରାସ୍ତା ଏବଂ ୯.୮୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ବୃହତ ସେତୁ ନିର୍ମାଣର ଯୋଜନା ସାମିଲ ରହିଛି । ସେହିପରି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୨୩.୭୬ କୋଟି ଟଙ୍କାର ୫ଟି ଗ୍ରାମ୍ୟ ରାସ୍ତା ଏବଂ ୬୬.୦୧ କୋଟି ଟଙ୍କାର ୧୦ଟି ପ୍ରମୁଖ ସେତୁ ରହିଛି । ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କାର୍ଯ୍ୟ ଗୁଡ଼ିକ ମଧ୍ୟରେ ପାଇକମାଲ ବ୍ଲକର ମାଣ୍ଡୋସିଲ, ଭେଙ୍ଗରାଜପୁର, ସାପଲହାର, ଆମଥି ଏବଂ ପଦ୍ମପୁର ବ୍ଲକର ଦହିଗାଁ ଓ କଂସାର ସମେତ ଝାରବନ୍ଧ ବ୍ଲକର ବିଲାସପୁର ଅଞ୍ଚଳରେ MMSY-TRIP ଅଧୀନରେ ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହା ସହିତ ପଦ୍ମପୁର ବ୍ଲକର ଖଲିଆପାଲି ଠାରେ କୁମୁଦି ନାଳ ଉପରେ ୯୮୦.୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଛି ।ଅପରପକ୍ଷରେ ଝାରବନ୍ଧ, ପାଇକମାଲ ଏବଂ ପଦ୍ମପୁର ବ୍ଲକରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରାଯାଇଛି, ଯେଉଁଥିରେ ବାରତୁଣ୍ଡାରୁ ନିଲେଥର ରାସ୍ତାରେ ଅଙ୍ଗ ନଦୀ ଉପରେ ୮୬୨.୯୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବୃହତ ସେତୁ, ଚିନ୍ଦେଇକେଲା ସ୍ଥାନୀୟ ନାଳ ଉପରେ ୭୧୮.୧୬ ଲକ୍ଷ ଟଙ୍କାର ସେତୁ ଏବଂ ଖଲିଆପାଲି ଠାରେ କୁମୁଦି ନାଳ ଉପରେ ୧୧୩୨.୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେତୁ ଆଦି ମୁଖ୍ୟ ଆକର୍ଷଣ ସଦୃଶ ରହିଛି । ଏହା ସହିତ କୋଲେରୀ ନାଳ, ଚିତା ନାଳ, ଚିରାଲ ନାଳ, ବିଲେଇଘାଟି ନାଳ ଓ ବାନ୍ଧେଶ୍ୱରୀ ନାଳ ଉପରେ ନିର୍ମିତ ସେତୁ ଏବଂ ବିଭିନ୍ନ ଗ୍ରାମ୍ୟ ରାସ୍ତାର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ପଦ୍ମପୁର ଉପଖଣ୍ଡର ପାଇକମାଲ, ଝାରବନ୍ଧ ଏବଂ ପଦ୍ମପୁର ବ୍ଲକର ଶତାଧିକ ଗ୍ରାମର ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ଏବଂ ଏହା ସ୍ଥାନୀୟ ଅଞ୍ଚଳର ଗମନାଗମନ ବ୍ୟବସ୍ଥା ତଥା ସାମଗ୍ରିକ ଅର୍ଥନୈତିକ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।
ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।