ନୟାଗଡ଼, ୧୧/୦୭ ( ସୁଧୀର କୁମାର ଦାସ ) : ନୟାଗଡ଼ ଜିଲ୍ଲାର ସରଣକୁଳ ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଥିବା ଅନସର ନୀତିର ଆଜି ଏକାଦଶ ଦିନ ତଥା ଦଶମୀ ତିଥି ଅବସରରେ ମହାପ୍ରଭୁଙ୍କ ‘ଚକା ବିଜେ’ ନୀତି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଛି। ପାରମ୍ପରିକ ରୀତିନୀତି ଅନୁସାରେ ସେବାୟତମାନେ ଗୁପ୍ତ ଉପଚାର ପରେ ଏହି ନୀତି ସମ୍ପାଦନ କରିଥିଲେ। ପରମ୍ପରା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଘଟ ଜଳରେ ମହାସ୍ନାନ ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଅସୁସ୍ଥ ହୋଇ ଅନସର ଗୃହରେ ବିରାଜମାନ ରହିଥାନ୍ତି। ଏହି ସମୟରେ ଭକ୍ତମାନଙ୍କ ପାଇଁ ଦର୍ଶନ ବନ୍ଦ ରହିଥାଏ ଏବଂ ସେବାୟତମାନେ ଗୁପ୍ତ ଭାବେ ମହାପ୍ରଭୁଙ୍କ ସେବା ଓ ଉପଚାର କରିଥାନ୍ତି। ଅନସର ପଞ୍ଚମୀ ଦିନ ଶ୍ରୀବିଗ୍ରହମାନଙ୍କ ନିକଟରେ ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ କ୍ରମାଗତ ଚାରି ଦିନ ଧରି ଓଷ ଲାଗି ନୀତି ପାଳନ କରାଯାଇଥିଲା। ଦଶମୀ ତିଥିରେ ମହାପ୍ରଭୁ ଶୟନ ଅବସ୍ଥାରୁ ଉଠି ଆରୋଗ୍ୟ ଲାଭର ସଙ୍କେତ ସ୍ୱରୂପ ଚକା ବିଜେ ନୀତି ସମ୍ପନ୍ନ କରିଥାନ୍ତି। ଅନସର ନୀତିର ପ୍ରତ୍ୟେକ ପର୍ଯ୍ୟାୟ ପରମ୍ପରା ଅନୁଯାୟୀ ସମ୍ପନ୍ନ ହେଉଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ଆସନ୍ତା ରଥଯାତ୍ରାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।
– ସୁଧୀର କୁମାର ଦାସ, ନୟାଗଡ଼ (ନବଦୂତ ନ୍ୟୁଜ୍)
