Hot Posts

6/recent/ticker-posts

ଜୟପୁରରେ ଆଧ୍ୟାତ୍ମିକ ସଭା: ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତିକୁ ନେଇ ଆଲୋଚନା

ଜୟପୁର, ୦୯/୦୭ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଶ୍ରୀ ଆଗ୍ରସେନ ଭବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଯାଇଛି। ଜୟପୁର ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଏହି ସଭାରେ ଆଗାମୀ ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ସଫଳ ଆୟୋଜନ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସଭାରେ ଶାନ୍ତିକୁଞ୍ଜରୁ ଆସିଥିବା ମୁଖ୍ୟ ବକ୍ତା ମଙ୍ଗଳ ସିଂହ ଗଡ଼ୱାଲ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ଓ ଯଜ୍ଞର ଆଧ୍ୟାତ୍ମିକ ଏବଂ ସାମାଜିକ ଉପକାରିତା ସମ୍ପର୍କରେ ସରଳ ଓ ପ୍ରାଞ୍ଜଳ ଭାଷାରେ ଆଲୋକପାତ କରିଥିଲେ। ସେ ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଜୀବନଶୈଳୀ ଅବଲମ୍ବନର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଜୋନ୍ ପରିଚାଳକ ଷୌମିତ୍ର ଥନପତି, ନୃସିଂହ ସିଂହ ଏବଂ ରାୟଗଡ଼ା ଜିଲ୍ଲା ପରିଚାଳକ ବାଲ୍ମୀକି ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲାର ପରିଚାଳକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ମଣିଷ କିପରି ସୁଖମୟ ଓ ଶୃଙ୍ଖଳିତ ଜୀବନ ବିତାଇପାରିବ, ଶିଶୁମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର ଗଢ଼ି ତୋଳିବା, ସମାଜରେ ସଦ୍‌ଭାବ ବଜାୟ ରଖିବା ଏବଂ ଠକେଇ ଭଳି ସାମାଜିକ ଅପପ୍ରବୃତ୍ତିରୁ ଦୂରେଇ ରହିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଏଥିସହ ସେ ବଡ଼ମାନଙ୍କ ଆଦର୍ଶକୁ ଅନୁସରଣ କରି ଜଣେ ଉତ୍ତମ ନାଗରିକ ହେବାକୁ ଆହ୍ୱାନ ଜଣାଇଥିଲେ। ସଭାରେ ଆଗାମୀ ଦିନରେ ପଟନାୟକଗୁଡ଼ାରେ ଆୟୋଜିତ ହେବାକୁ ଥିବା ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବିଭିନ୍ନ କମିଟି ଗଠନ ଏବଂ ଦାୟିତ୍ୱ ବଣ୍ଟନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନରୁ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସଭା ସମାପ୍ତ ହୋଇଥିଲା।