ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ରାୟଗଡ଼, ୦୭/୦୬ ( ଭି. ଗୌରି ଶଙ୍କର ରାଓ ) : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ସଫଳ ଓ ସର୍ବସମାବେଶୀ କରିବା ଉଦ୍ଦେଶ୍ୟରେ ୧୪୦–ରାୟଗଡ଼ ବିଧାନସଭା ମଣ୍ଡଳୀରେ ଏକ ଭୋଟର ଜନସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସହମତିକ୍ରମେ ଏବଂ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀ ରମେଶ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପ-ଜିଲ୍ଲାପାଳ ତଥା ERO ଶ୍ରୀ ଜେନା ସମସ୍ତ ନାଗରିକଙ୍କୁ ବୁଥ୍ ଲେବୁଲ୍ ଅଫିସର (BLO) ମାନଙ୍କ ଘର ପରିଦର୍ଶନ ସମୟରେ ସହଯୋଗ କରିବା ସହ ନିଜର ଏବଂ ଯୋଗ୍ୟ ପରିବାର ସଦସ୍ୟମାନଙ୍କର ନାମ ଭୋଟର ତାଲିକାରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ନିଶ୍ଚିତ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ନାଗରିକମାନେ ୱେବ୍ସାଇଟ ( https://voters.eci.gov.in )ଏବଂ Voter Helpline App ମାଧ୍ୟମରେ ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ। SIR-୨୦୨୬ ର ଦୈନିକ ଅଗ୍ରଗତି ଉପରେ କଡ଼ା ନଜର ରଖାଯାଉଥିବା ବେଳେ AERO, BLO ସୁପରଭାଇଜର ଓ BLO ମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଷେତ୍ର ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। “କୌଣସି ଭୋଟର ବାଦ ପଡ଼ିବେ ନାହିଁ” ଲକ୍ଷ୍ୟକୁ ସାମ୍ନାରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆୟୋଜିତ ଜନସଚେତନତା ଶୋଭାଯାତ୍ରା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଲିଙ୍କ ରୋଡ଼, ଲାୟନ୍ସ କ୍ଲବ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଭରବ୍ରିଜ୍ ଦେଇ ମହାତ୍ମା ଗାନ୍ଧୀ ପାର୍କଠାରେ ସମାପ୍ତ ହୋଇଥିଲା। ରାଲି ମାଧ୍ୟମରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ (SIR-୨୦୨୬) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ AERO ତଥା ରାୟଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ଜିଲ୍ଲା ଡେପୁଟି ନିର୍ବାଚନ ଅଧିକାରୀ ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ, ମୁନସିପାଲିଟି ଅଧିକାରୀ ଶ୍ରୀ କୁଲଦୀପ କୁମାର, ଜିଲ୍ଲା ସହକାରୀ ନିର୍ବାଚନ ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସିଦ୍ଧାର୍ଥ ଆନନ୍ଦ ପଣ୍ଡା, ସୁଶ୍ରୀ ରୂପାଲୀ ପାତ୍ର, ସହକାରୀ କଲେକ୍ଟର ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ତହସିଲ, ବ୍ଲକ, ପୌରପରିଷଦ ଏବଂ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।