Hot Posts

6/recent/ticker-posts

ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ l

ନୂଆପଡ଼ା, ୨୦/୦୬ ( ପରମେଶ୍ୱର ମେହେର ) :
ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ପାଳନ ଅବସରରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଅବକାରୀ ବିଭାଗର ମିଳିତ ଆନୁକୂଳ୍ୟରେ ଏକ ବିଶାଳ ସଚେତନତା ରାଲି ଏବଂ ସ୍ୱାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ କଲେକ୍ଟରେଟ ପରିସରରୁ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟୀ କଲେକ୍ଟରେଟରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିକ୍ରମା କରି ପୁନର୍ବାର କଲେକ୍ଟରେଟକୁ ଫେରିଥିଲା। ରାଲି ସମୟରେ ନିଶାଦ୍ରବ୍ୟର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ସମ୍ବଳିତ ସ୍ଲୋଗାନ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କଲେକ୍ଟରେଟ ପରିସରରେ ଏକ ସ୍ୱାକ୍ଷର ଅଭିଯାନ ଆୟୋଜିତ ହୋଇଥିଲା। ଉପସ୍ଥିତ ସମସ୍ତେ ନିଶାମୁକ୍ତ ସମାଜ ଗଠନ ପାଇଁ ସମୁହିକ ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ୱାକ୍ଷର ପ୍ରଦାନ କରିଥିଲେ। ଏହି ରାଲିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଅଣ-ସରକାରୀ ସଂଗଠନର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।