କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋଗ୍ରାଫି ନିଷେଧକୁ ନେଇ ବଢ଼ିଲା ଅସନ୍ତୋଷ
ପୁରୀ, ୧୭/୦୬ ( ଜ୍ଞାନ ରଞ୍ଜନ ସାହୁ ) : "ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର... ପର୍ଯ୍ୟଟକଙ୍କ ପାଇଁ ସ୍ମୃତିର ପ୍ରତୀକ, ଆଉ ଶହ ଶହ ଫଟୋଗ୍ରାଫରଙ୍କ ପାଇଁ ଜୀବନ ଜୀବିକାର ମାଧ୍ୟମ। କିନ୍ତୁ ଏବେ ମନ୍ଦିର ଭିତରେ ଫଟୋଗ୍ରାଫି ଉପରେ କଟକଣା ଲାଗିବା ପରେ ରୋଜଗାର ହରାଇ ସଙ୍କଟରେ ପଡ଼ିଛନ୍ତି ପ୍ରାୟ ଦୁଇ ଶହ ପରିବାର। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି ଅନୁଷ୍ଠିତ ହୋଇଛି ଜରୁରୀକାଳୀନ ବୈଠକ। ସେମାନଙ୍କ ହାତରେ ଥିଲା କ୍ୟାମେରା, ଆଉ ପର୍ଯ୍ୟଟକଙ୍କ ହସ ଥିଲା ସେମାନଙ୍କ ପାଇଁ ରୋଜଗାରର ଆଧାର। ବର୍ଷ ବର୍ଷ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ପର୍ଯ୍ୟଟକଙ୍କ ଫଟୋ ଉଠାଇ ନିଜ ଓ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିଲେ ପ୍ରାୟ ଦୁଇ ଶହ ଫଟୋଗ୍ରାଫର। କିନ୍ତୁ ସମୟ ସହ ଦିନେ ବଦଳି ଯାଇଥିଲା ସେମାନଙ୍କ ଜୀବନର ଚିତ୍ର। କିଛି ବର୍ଷ ପୂର୍ବେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱରେ ଥିବା ASI ପକ୍ଷରୁ ମନ୍ଦିର ଭିତରେ ଫଟୋଗ୍ରାଫି ଉପରେ କଟକଣା ଲାଗିଥିଲା। ପରେ ଫଟୋଗ୍ରାଫରମାନଙ୍କ ଦାବିପତ୍ର ଓ ଅଭିଯୋଗ ପରେ ତତ୍କାଳୀନ ASI ସୁପରିଟେଣ୍ଡେଣ୍ଟ ମନ୍ଦିର ଟିକେଟ କାଉଣ୍ଟର ରୁ ଟିକେଟ କ୍ରୟ କରି ମନ୍ଦିର ଭିତରେ ଫଟୋଗ୍ରାଫି କରିବାକୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଗତ ଦୁଇ ମାସ ତଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ନୂତନ ଭାବେ ଯୋଗ ଦେଇଥିବା ASI ଅଧିକାରୀ ପୁଣିଥରେ ଫଟୋଗ୍ରାଫରମାନଙ୍କୁ ମନ୍ଦିର ଭିତରେ ଫଟୋଗ୍ରାଫି ନ କରିବାକୁ ବାରଣ କରିଥିବାରୁ ମନ୍ଦିର ପ୍ରବେଶ ବନ୍ଦ ହେବା ସହ ଫଟୋ ଗ୍ରାଫି ମଧ୍ୟ ବନ୍ଦ ହୋଇଯାଇଛି। ଯାହାକୁ ନେଇ ରୋଜଗାର ହରାଇ ଏବେ ଚିନ୍ତାରେ ପଡ଼ିଛନ୍ତି ପ୍ରାୟ ଦୁଇ ଶହ ଫଟୋ ଗ୍ରାଫର ପରିବାର। ନିଜ ସହ ନିଜ ପରିବାରର ପ୍ରତିପୋଷଣ କରିବାରେ ସେମାନେ ଏବେ ନାନା ସମସ୍ୟାର ସାମ୍ନା କରୁଛନ୍ତି। ଭୋକ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ଫଟୋଗ୍ରାଫରମାନେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି ସୂର୍ଯ୍ୟ ମନ୍ଦିର ସୁରକ୍ଷା ମହାସଂଘ ପକ୍ଷରୁ ସମସ୍ତ ଫଟୋଗ୍ରାଫରଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ସୂର୍ଯ୍ୟ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସେମାନଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ସହ ଆଗାମୀ ଦିନରେ କିଭଳି ଏହି ଲଢ଼େଇକୁ ଆଗକୁ ନିଆଯିବ, ସେନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଫଟୋଗ୍ରାଫରମାନଙ୍କ କହିବା କଥା, ବର୍ଷ ବର୍ଷ ଧରି ଏହି ପେଶା ଉପରେ ନିର୍ଭର କରି ସେମାନେ ନିଜ ପରିବାର ଚଳାଇ ଆସୁଛନ୍ତି। ତେଣୁ ସେମାନଙ୍କ ରୋଜଗାରର ସୁରକ୍ଷା ସହ ସ୍ଥାୟୀ ସମାଧାନ ପାଇଁ ASI ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। "ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ମୃତିକୁ ଚିରସ୍ଥାୟୀ କରୁଥିବା ଏହି ଫଟୋଗ୍ରାଫରମାନେ ଆଜି ନିଜ ଭବିଷ୍ୟତକୁ ନେଇ ଚିନ୍ତିତ। ପ୍ରାୟ ଦୁଇ ଶହ ପରିବାରର ଜୀବନ ଜୀବିକା ସହ ଜଡ଼ିତ ଏହି ପ୍ରସଙ୍ଗରେ ASI କେବେ ଏବଂ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।"