ବରପାଲିରେ ଶ୍ରାଦ୍ଧବାର୍ଷିକୀ ଅବସରରେ ସେବାମୂଳକ କାର୍ଯ୍ୟକ୍ରମ, ଡାକ୍ତରଖାନାକୁ ହ୍ୱିଲ୍ ଚେୟାର ପ୍ରଦାନ
ବରଗଡ଼ , ୧୩/୦୬ ( ନରେନ୍ଦ୍ର ପ୍ରଧାନ ) : ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ସ୍ୱର୍ଗତା ଅସର୍ପି ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପରିବାର ପକ୍ଷରୁ ଏକ ପ୍ରଶଂସନୀୟ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱର୍ଗତା ଅସର୍ପି ସାହୁଙ୍କ ସ୍ମୃତିଚାରଣ କରି ତାଙ୍କ ପୁତ୍ର ସରୋଜ ସାହୁ ଓ ପୁତ୍ରବଧୂ ସୁଧାମାୟୀ ସାହୁଙ୍କ ଦ୍ୱାରା ସ୍ଥାନୀୟ ଡାକ୍ତରଖାନାକୁ ଏକ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ସେମାନଙ୍କ ସୁସ୍ଥତା କାମନା କରାଯାଇଥିଲା। ଏଭଳି ସାମାଜିକ ଓ ମାନବିକ କାର୍ଯ୍ୟ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁଥିବା ବେଳେ ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲା।ଡାକ୍ତର ଚିନ୍ମୟ ପଧାନ ହ୍ୱିଲ୍ ଚେୟାର ଗ୍ରହଣ କରି ପରିବାରକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଡାକ୍ତରଖାନାକୁ ପ୍ରଦାନ କରାଯାଇଥିବା ଏହି ହ୍ୱିଲ୍ ଚେୟାର ଅସହାୟ, ବୃଦ୍ଧ ଓ ଭିନ୍ନକ୍ଷମ ରୋଗୀମାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହା ଦ୍ୱାରା ରୋଗୀମାନଙ୍କ ଚିକିତ୍ସା ଓ ଯାତାୟାତରେ ସୁବିଧା ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସ୍ୱର୍ଗତା ଅସର୍ପି ସାହୁଙ୍କ ସ୍ମୃତିରେ ପରିବାର ପକ୍ଷରୁ କରାଯାଇଥିବା ଏହି ମହତ୍ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଥିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି। ସମାଜରେ ସେବା ଓ ସହଯୋଗର ଭାବନାକୁ ଆଗକୁ ବଢ଼ାଇବାରେ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସହାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଫାର୍ମାସିଷ୍ଟ ସଂଜୀବ ସେଠ୍, ଦିନେଶ ସାହୁ ଙ୍କ ସମେତ କର୍ମଚାରୀଗଣ ଉପସ୍ଥିତ ଥିଲେ l