ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ଲାଷ୍ଟିକ ବିରୋଧୀ ମେଗା ଚଢ଼ାଉ : ବୋଡେନ ଓ ପାତାଳଗଙ୍ଗାରୁ ୧୯ କେଜି ଏସ୍ୟୁପି ଜବତ, ଜିଲ୍ଲାବ୍ୟାପୀ ଅଭିଯାନରେ ୧୦୦ କେଜିରୁ ଅଧିକ ନିଷିଧ ପ୍ଲାଷ୍ଟିକ ଜବତ
ନୂଆପଡା, ୧୩/୦୬ ( ପରମେଶ୍ୱର ମେହେର ) : ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ (ଏସ୍ୟୁପି) ବିରୋଧରେ ବ୍ୟାପକ ଚଢ଼ାଉ ଅଭିଯାନ ଚାଲିଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ବୋଡେନ ବଜାର ଏବଂ ପ୍ରସିଦ୍ଧ ପାତାଳଗଙ୍ଗା ଧାର୍ମିକ ପୀଠରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।ଅଭିଯାନ ସମୟରେ ବିଭିନ୍ନ ଦୋକାନ, ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇ ୧୯.୫ କିଲୋଗ୍ରାମ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଜବତ କରାଯାଇଥିଲା। ସେହିପରି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଚଢ଼ାଉ ବେଳେ ବୋଡେନ ବଜାରର "ରାମ ଦଣ୍ଡସେନା ହୋଟେଲରେ" ବେଆଇନ ଭାବେ ଗଚ୍ଛିତ ଅବକାରୀ ସାମଗ୍ରୀ ଠାବ କରାଯାଇଥିଲା। ଜବତ ସାମଗ୍ରୀକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୋଡେନ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପ୍ରଶାସନର ତତ୍ପରତାକୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି। ଏହି ଚଢାଉରେ ବୋଡେନ ବିଡିଓ ଚିନ୍ମୟ ସାଗରଙ୍କ ସହ ଜିଲ୍ଲା ସ୍ୱଚ୍ଛ ଟିମ୍ର ଶିବ ପ୍ରସାଦ ସ୍ୱାଇଁ, ପାର୍ଥ ସାରଥୀ ଦୋରା, ହରେକୃଷ୍ଣ ହାଁସଦା, ଜିଲ୍ଲା ସଂଯୋଜକ ଅନିଲ ଲେଙ୍କା, ବ୍ଲକ ସଂଯୋଜକ ହେରମ୍ବ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ଯେ, ଭବିଷ୍ୟତରେ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର କରୁଥିବା ପ୍ରତିଷ୍ଠାନ ବିରୋଧରେ ବିଦ୍ୟୁତ୍ ଓ ଜଳ ସଂଯୋଗ ବିଚ୍ଛିନ୍ନ କରିବା ସହ ପ୍ରତିଷ୍ଠାନକୁ ସିଲ୍ କରିବା ଭଳି କଠୋର ପଦକ୍ଷେପ ନିଆଯିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାବ୍ୟାପୀ ୮ଟି ସ୍ୱଚ୍ଛ ଦଳ ସମସ୍ତ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ସମନ୍ୱିତ ଚଢ଼ାଉ କରିଥିଲେ। ଏହି ଅଭିଯାନରେ ୧୦୦ କିଲୋଗ୍ରାମରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ କରାଯାଇଥିବାବେଳେ ୫୦ ହଜାର ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। ପାତାଳଗଙ୍ଗା ପରିସରରେ ଜିଲ୍ଲାପାଳ ଶ୍ରୀ ଦାଶ ସାଧାରଣ ଲୋକଙ୍କ ସହ ତଳେ ବସି ଜିଲ୍ଲା ପ୍ରଶାସନର ‘ବର୍ତ୍ତନ ବ୍ୟାଙ୍କ’ ଯୋଜନାର ବାସନରେ ପ୍ରସାଦ ସେବନ କରି ପ୍ଲାଷ୍ଟିକର ବିକଳ୍ପ ବ୍ୟବହାର ପ୍ରତି ସଚେତନତାର ବାର୍ତ୍ତା ଦେଇଥିଲେ। ତାଙ୍କର ଏହି ସରଳ ଓ ପରିବେଶବନ୍ଧବ ପଦକ୍ଷେପ ଉପସ୍ଥିତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିଥିଲା। ବର୍ତ୍ତନ ବ୍ୟାଙ୍କ ମାଧ୍ୟମରେ ପୁନଃବ୍ୟବହାରଯୋଗ୍ୟ ବାସନ କୁସନ ବ୍ୟବହାରକୁ ମିଳୁଥିବା ପ୍ରୋତ୍ସାହନକୁ ସମସ୍ତେ ପ୍ରଶଂସା କରିଥିଲେ।