ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ଜନ ଶୁଣାଣି
ଜୟପୁର, ୦୪/୦୬ ( ଏ. ଭେଙ୍କଟ ରାଓ ) : ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ଙ୍କ ଉପସ୍ଥିତି ରେ ଜୟପୁର ରେ ଆୟୋଜିତ ଜନଶୁଣାଣି ଓ କ୍ୟାମ୍ପ କୋର୍ଟରେ ୫୫ଟି ଅଭିଯୋଗର ଶୁଣାଣି କରାଯାଇ ଅନେକ ମାମଲାର ତୁରନ୍ତ ସମାଧାନ କରାଯାଇଛି। କ୍ୟାମ୍ପ କୋର୍ଟରେ ପୋକ୍ସୋ ମାମଲା ସହିତ ଶିକ୍ଷା ଅଧିକାର ଆଇନ (RTE) ସମ୍ପର୍କିତ ଅଭିଯୋଗର ମଧ୍ୟ ଶୁଣାଣି ହୋଇଥିଲା। ୨୦୧୬ ମସିହାରୁ ବିଚାରାଧୀନ ଥିବା ପ୍ରାୟ ୧୫ଟି ପୋକ୍ସୋ ମାମଲାର ଫାଇନାଲ ରିପୋର୍ଟ ମାଗିଥିବା ବେଳେ, ପୋଲିସ, ଶିକ୍ଷା ବିଭାଗ, ଡିସିପିଓ ଓ ଅନ୍ୟାନ୍ୟ ବିଭାଗକୁ ଆବଶ୍ୟକ ଏଟିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱରରେ ସୀମିତ ନ ରହି ଉପାନ୍ତ ଅଞ୍ଚଳର ପିଲାମାନଙ୍କ ସମସ୍ୟାକୁ ସ୍ଥାନୀୟ ସ୍ତରରେ ଶୁଣି ତୁରନ୍ତ ସମାଧାନ କରିବା। ଗତ ଆଠ ମାସ ଧରି ଆୟୋଗ ବିଭିନ୍ନ ଜିଲ୍ଲାରେ କ୍ୟାମ୍ପ କୋର୍ଟ ଆୟୋଜନ କରି ପିଲାମାନଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଦିଗରେ କାମ କରୁଛି।