Hot Posts

6/recent/ticker-posts

ବିଜେଡିରେ ଅସନ୍ତୋଷ: ଦୁଇ ନେତାଙ୍କ ନିଲମ୍ବନ ପ୍ରତିବାଦରେ ସାମୂହିକ ଇସ୍ତଫା

ବାଲିଗୁଡ଼ା, ୦୫/୦୬ ( ସୁରେନ୍ଦ୍ର ମାଝୀ ) : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର ଜିଲ୍ଲା ଉପସଭାପତି ଟୁନା ଦାଶ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି। ଏହି ନିଷ୍ପତ୍ତିର ପ୍ରତିବାଦରେ ବହୁ ସଂଖ୍ୟକ ଦଳୀୟ ନେତା, ଜନପ୍ରତିନିଧି ଓ କର୍ମୀ ସାମୂହିକ ଭାବେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ୫୪ଟି ପଞ୍ଚାୟତର ସଭାପତି, ଚାରିଟି ବ୍ଲକର ସଭାପତି, ତିନିଟି ବ୍ଲକର ଅଧ୍ୟକ୍ଷ, ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ, ବାଲିଗୁଡ଼ା ଏନଏସିର ଅଧ୍ୟକ୍ଷ, ୧୧ ଜଣ କାଉନସିଲର, ବିଭିନ୍ନ ସମିତି ସଭ୍ୟ, ସରପଞ୍ଚ ଓ ୫୦୦ରୁ ଅଧିକ କର୍ମୀ ଦଳର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି। ଗତ ୩ ତାରିଖରେ ନିଲମ୍ବିତ ବିଧାୟକ ଚକ୍ରମଣି କହଁରଙ୍କୁ ବାଲିଗୁଡ଼ାରେ ଟୁନା ଦାଶଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ସେହି ଦିନ ସନ୍ଧ୍ୟାରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ କନ୍ଧମାଳ ଜିଲ୍ଲା ଉପସଭାପତି ଟୁନା ଦାଶ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ଏହି ନିଲମ୍ବନ ନିଷ୍ପତ୍ତିକୁ ସ୍ଥାନୀୟ ବିଜେଡି କର୍ମୀ ଓ ସମର୍ଥକମାନେ ଗ୍ରହଣ କରିପାରୁ ନଥିବା ବେଳେ ଏହାର ପ୍ରତିବାଦରେ ସାମୂହିକ ଇସ୍ତଫା ଦିଆଯାଇଥିବା କୁହାଯାଉଛି। ଏହି ଘଟଣା ପରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଭିତରେ ଅସନ୍ତୋଷ ଓ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ସାମୂହିକ ଇସ୍ତଫାକୁ ନେଇ ଦଳୀୟ ନେତୃତ୍ୱ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନଥିବା ବେଳେ ପରବର୍ତ୍ତୀ ସମୟରେ ଦଳ କି ପଦକ୍ଷେପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।