Hot Posts

6/recent/ticker-posts

କନ୍ଧମାଳର ବିକାଶ ଓ ଆତ୍ମନିର୍ଭରତା ପାଇଁ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଫୁଲବାଣୀ, ୧୯/୦୬ ( ସୁରେନ୍ଦ୍ର ମାଝୀ ) : ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେ ସୁଭଦ୍ରା ଯୋଜନା, ସିଏମ୍ କିସାନ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ମୁଖ୍ୟମନ୍ତ୍ରୀ ବସ ସେବା, ସମୃଦ୍ଧ କୃଷକ ଯୋଜନା, ପିଏମ୍ ଆବାସ, ଅନ୍ତ୍ୟୋଦୟ ଆବାସ, ସହରୀ ବିକାଶ, ପର୍ଯ୍ୟଟନ, ସଡ଼କ ଓ ରେଳ ସଂଯୋଗ, ଜନଜାତି ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହାପୂର୍ବରୁ ମାନ୍ୟବର ମନ୍ତ୍ରୀ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ। ୬୦ରୁ ଅଧିକ ସାମ୍ବାଦିକଙ୍କ ସମେତ ପ୍ରାୟ ୮୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ମନ୍ତ୍ରୀ କହିଥିଲେ, “କନ୍ଧମାଳର ଚାଷୀ, ମହିଳା, ଯୁବବର୍ଗ ଓ ଜନଜାତି ଭାଇଭଉଣୀଙ୍କ ବିକାଶ ହିଁ ସମୃଦ୍ଧ ଓଡ଼ିଶାର ମୂଳଦୁଆ। କନ୍ଧମାଳର ସମ୍ଭାବନାକୁ କାମରେ ଲଗାଇ ଜିଲ୍ଲାକୁ ଆତ୍ମନିର୍ଭର କରାଯିବ। ଆମେ ଯାହା କହିଛୁ, ତାହା କରି ଦେଖାଉଛୁ।”