ସାଇକେଲ ଚଳାଇ ପରିବେଶ ସୁରକ୍ଷାର ସଂକଳ୍ପ, ସିନାପାଲି ବନାଞ୍ଚଳରେ ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ
ସିନାପାଲି, ୦୭/୦୬ ( ପରମେଶ୍ୱର ମେହେର ) : ସ୍ୱାସ୍ଥ୍ୟ, ପରିବେଶ ଓ ସବୁଜ ଭବିଷ୍ୟତର ସନ୍ଦେଶ ନେଇ ଆଜି ସକାଳ ୭ଟାରୁ ସିନାପାଲି ବନାଞ୍ଚଳରେ ବିଶ୍ୱ ସାଇକେଲ ଦିବସ-୨୦୨୬ ଓ “ସଣ୍ଡେଜ୍ ଅନ୍ ସାଇକେଲ” କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଫିଟ୍ ଇଣ୍ଡିଆ ଆନ୍ଦୋଳନ ଅନ୍ତର୍ଗତ ଆୟୋଜିତ ଏହି ସଚେତନତାମୂଳକ ସାଇକେଲ ରାଲିରେ ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ବନ୍ୟପ୍ରାଣୀ ସୁରକ୍ଷା କର୍ମୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରଚାର କରିଥିଲେ । ସିନାପାଲି ବନ ପରିସର ଅଧିକାରୀ କାମେଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନପାଳ କନ୍ଦର୍ପ ସୁନାନୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଚୁଡ଼ାନାଥ ସରାଫ, ସମୀରକାନ୍ତ ଠାକୁର, ରାମ ରଞ୍ଜନ ରାଉତ ଓ ରଞ୍ଜନ କୁମାର ସାହୁଙ୍କ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ପାରା ଷ୍ଟାଫ୍ ଏବଂ ୱାଇଲ୍ଡଲାଇଫ୍ ଷ୍ଟାଫ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସାଇକେଲ ରାଲି ମାଧ୍ୟମରେ “ରାଇଡ୍ ଗ୍ରୀନ୍, ବ୍ରିଦ୍ କ୍ଲିନ୍, ଲିଭ୍ ହେଲ୍ଥି” ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ପ୍ରଦୂଷଣମୁକ୍ତ ପରିବେଶ ଗଠନ, ଇନ୍ଧନ ସଞ୍ଚୟ, ଶାରୀରିକ ସୁସ୍ଥତା ଓ ବନ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା । ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବାକୁ କେବଳ ଏକ ଯାତାୟାତ ମାଧ୍ୟମ ନୁହେଁ, ବରଂ ପ୍ରକୃତି ସହ ଯୋଡ଼ି ରହିବାର ଏକ ସୁନ୍ଦର ଉପାୟ ବୋଲି ମତ ପ୍ରକାଶ କରିଥିଲେ । ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ସାଇକେଲ ଯାତ୍ରା କାର୍ବନ ନିର୍ଗମନ କମାଇବା ସହ ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଢ଼ିବାରେ ସହାୟକ ହୁଏ । ଆଜିର ବ୍ୟସ୍ତ ଜୀବନରେ ସାଇକେଲ ଅଭ୍ୟାସ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ମନକୁ ମଧ୍ୟ ପ୍ରଫୁଲ୍ଲିତ କରେ ।ବିଶ୍ୱ ସାଇକେଲ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିବା ଦେଖାଯାଇଛି