ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ
ରାୟଗଡ଼, ୦୨/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଓ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦସ୍ଥାପନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଷ୍ଠା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମାନ ବୃଦ୍ଧି ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଚଳିତ ଶିକ୍ଷାବର୍ଷରେ ପ୍ରତ୍ୟେକ ବିଦ୍ୟାଳୟରୁ ଅତିକମରେ ୫ ଜଣ ଛାତ୍ରଛାତ୍ରୀ ଯେପରି ‘A1’ ଗ୍ରେଡ୍ ହାସଲ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ପ୍ରୟାସ କରିବାକୁ ସେ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହ ପିଲାମାନଙ୍କର ଉନ୍ନତମାନର ଶିକ୍ଷା ଓ ଶାରୀରିକ ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରକ୍ରିୟାରେ ମୋଟ ୨୨ ଜଣ ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ସେଥିମଧ୍ୟରୁ PCM ବିଭାଗରେ ୭ ଜଣ, CBZ ବିଭାଗରେ ୩ ଜଣ ଏବଂ PET ଭାବେ ୧୨ ଜଣ ଶିକ୍ଷକ ସାମିଲ ଅଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ , ସଦର ରାୟଗଡ଼ାର ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍କୁଲ ପରିଦର୍ଶକ ଏବଂ ଜିଲ୍ଲା ମଙ୍ଗଳ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।