Hot Posts

6/recent/ticker-posts

ଓ ଏସ ପରୀକ୍ଷାରେ ୯୯ତମ ସ୍ଥାନ ହାସଲ କରି ଯାଜପୁରର ଗୌରବ ବଢ଼ାଇଲେ ଅନ୍ୱେଷା ରାଉତ

ବିଂଝାରପୁର ୧୧|୦୬ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ପାଇଁ ଆସିଛି ଗର୍ବ ଓ ଗୌରବର ଖବର। ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଞ୍ଚାୟତର ଗୋପାଳପୁର ଗ୍ରାମର ମେଧାବୀ ଛାତ୍ରୀ ଅନ୍ୱେଷା ରାଉତ ଓ ଏସ ପରୀକ୍ଷାରେ ୯୯ତମ ସ୍ଥାନ ହାସଲ କରି ନିଜ ଅଞ୍ଚଳ ସହ ସମଗ୍ର ଜିଲ୍ଲାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ତାଙ୍କର ଏହି ସଫଳତା ପଛରେ ରହିଛି ଅକ୍ଲାନ୍ତ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ପରିବାରର ନିରନ୍ତର ପ୍ରେରଣା। ଅନ୍ୱେଷା ରାଉତଙ୍କ ବାପା ଲଳିତ ରାଉତ ଏବଂ ମା’ ସୁପ୍ରଭା ପରିଡା, ଯିଏକି ଯାଜପୁର ଜିଲ୍ଲା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ପରିବାରର ଶିକ୍ଷାମୂଳକ ପରିବେଶ ଓ ମୂଲ୍ୟବୋଧ ତାଙ୍କୁ ସଫଳତାର ପଥରେ ଆଗେଇ ନେବାରେ ବିଶେଷ ସହାୟକ ହୋଇଛି। ଅନ୍ୱେଷାଙ୍କ ଶିକ୍ଷା ଯାତ୍ରାରେ ତାଙ୍କ ମାଉସୀ ସୁରଭି ପରିଡା, ଯିଏ ଓଳେଇଚନ୍ଦନପୁର ହାଇସ୍କୁଲର ଶିକ୍ଷୟିତ୍ରୀ, ଏବଂ ମଉସା ରତିକାନ୍ତ ସାମଲ, ଯିଏ ନନ୍ଦରଜା ହାଇସ୍କୁଲ, ତାଳୁକପଡାର ପ୍ରଧାନଶିକ୍ଷକ, ମଧ୍ୟ ତାଙ୍କୁ ସମୟ ସମୟରେ ଉତ୍ସାହିତ ଓ ମାର୍ଗଦର୍ଶନ କରିଆସିଛନ୍ତି। ନିଜ ସଫଳତାର ଶ୍ରେୟ ଦେଇ ଅନ୍ୱେଷା କହିଛନ୍ତି ଯେ, ଏହି କୃତିତ୍ୱ କେବଳ ତାଙ୍କର ନୁହେଁ, ବରଂ ତାଙ୍କ ପିତାମାତା, ଗୁରୁଜନ ଓ ପରିବାର ସଦସ୍ୟଙ୍କ ଆଶୀର୍ବାଦର ଫଳ। ସେ ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ଏହି ସଫଳତାର ଶ୍ରେୟ ଅର୍ପଣ କରିଛନ୍ତି। କଠିନ ପରିଶ୍ରମ, ନିୟମିତ ଅଧ୍ୟୟନ ଓ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ମୂଳମନ୍ତ୍ର ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୱେଷାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଗୋପାଳପୁର ଗ୍ରାମ, ଆରେଇ ପଞ୍ଚାୟତ ଏବଂ ସମଗ୍ର ବିଂଝାରପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି ସଫଳତା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସାଜିଛି।