ନୂଆପଡ଼ାରେ ମହାସମାରୋହରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬
ନୂଆପଡ଼ା, ୨୧/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ସଦରମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା ‘ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ’। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ନୂଆପଡ଼ା ଯୋଗ ସମିତି, ପତଞ୍ଜଳି ଯୋଗ ସମିତି, ଜିଲ୍ଲା ସମାଜ କଲ୍ୟାଣ ଅନୁଷ୍ଠାନ, କୁମ୍ଭା କ୍ଲବର ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମସିଂ ମାଝୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯୋଗର ଗୁରୁତ୍ୱ, ନିୟମିତ ଯୋଗାଭ୍ୟାସର ଉପକାରିତା ଓ ସୁସ୍ଥ ଜୀବନଶୈଳୀ ଗଠନରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପଦକ ବିଜେତା ଯୋଗ ପ୍ରଶିକ୍ଷକ ତଥା ରାଜ୍ୟ ପୋଲିସ ବିଭାଗର ସବ୍-ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ବାରିକ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଦର୍ଶନ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କୁ ଜିଲ୍ଲା ଯୋଗ ସମିତିର ବରିଷ୍ଠ ସଦସ୍ୟ କ୍ଷମାନିଧି ଦେବାଙ୍ଗନ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉଦୀୟମାନ କ୍ରୀଡ଼ାବିତ ତଥା ସ୍ୱର୍ଣ୍ଣ ପଦକ ବିଜେତା ତେଜସ୍ୱୀ ସୋନି, ରାଜ୍ୟ ବରିଷ୍ଠ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ଦିନେଶ ରାଉତ ଏବଂ ଯୋଗ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତା ଚନ୍ଦ୍ରକାନ୍ତ ବାରିକଙ୍କୁ ଅତିଥିମାନଙ୍କ ଦ୍ୱାରା ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାସହ ବିଶିଷ୍ଟ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଯୋଗ ଦିବସର ଶପଥପାଠ କରାଇବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଅତିଥି, ଯୋଗ ପ୍ରେମୀ, ଅଂଶଗ୍ରହଣକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l