କୋଇମେଟଲା ସରପଞ୍ଚଙ୍କ ପରଲୋକ , ଅଞ୍ଚଳରେ ଶୋକର ଛାୟା
ମାଲକାନଗିରି , ୧୧/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ସରପଞ୍ଚ ମୁନ୍ନା ପଡ଼ିୟାମୀଙ୍କ ଗତକାଲି ରାତ୍ର ରେ ପରଲୋକ ଘଟିଛି । ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମାତ୍ର ୪୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି । ମିଳିଥିବା ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେଡିକାଲରେ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ସ୍ଥାନୀୟ ଜନସାଧାରଣ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶେଷ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଜଣେ ଜନପ୍ରିୟ ଏବଂ ମେଳାପୀ ସରପଞ୍ଚ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।