Hot Posts

6/recent/ticker-posts

ନୂଆପଡ଼ାରେ ଆଡାପ୍ଟ-୪ଆର୍ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ

ନୂଆପଡ଼ା, ୦୩/୦୬ ( ପରମେଶ୍ୱର ମେହେର ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ଦ୍ୱାରା କାର୍ଯ୍ୟାନ୍ୱିତ “ଆଡାପ୍ଟ-୪ଆର୍ (ADAPT4R)”ପ୍ରକଳ୍ପର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC) ବୈଠକ ଆଜି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବକୁ ମୁକାବିଲା କରି ଗ୍ରାମାଞ୍ଚଳର ଜୀବିକା ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ବୈଠକରେ ଖରିଆର ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ତଥା ଜିଲ୍ଲା ନୋଡାଲ ଅଧିକାରୀ ଆଜିଜ ଖାନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ ତ୍ରୈମାସିକ କାର୍ଯ୍ୟଯୋଜନା ସମ୍ପର୍କରେ ସବିଶେଷ ଉପସ୍ଥାପନା କରିଥିଲେ। ଖରିଆର ବ୍ଲକର ସନମହେଶ୍ୱର ଓ ବରଗାଁ ଏବଂ ବୋଡେନ ବ୍ଲକର ନାଗପଡ଼ା ଓ ଭୈଁଷାଦାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋଟ ୨୦ଟି ଗ୍ରାମରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସୂଚନା ଦିଆଯାଇଥିଲା। ପ୍ରକଳ୍ପର ବୈଷୟିକ ସହଯୋଗୀ ଓୟୁଏଟି ଏବଂ କାର୍ଯ୍ୟାନ୍ୱୟନ ସହଯୋଗୀ AJSA-Indiaଙ୍କ ଭୂମିକା, ପ୍ରକଳ୍ପ ଅଞ୍ଚଳରେ ବାଉଁଶ ଭିତ୍ତିକ କୃଷି-ବନୀକରଣର ପ୍ରସାର, ନୂଆପଡ଼ାକୁ ଓଡ଼ିଶା ବାମ୍ବୁ ମିଶନରେ ସାମିଲ କରିବା ଏବଂ ବ୍ଲକ ସ୍ତରରେ ଜଳବାୟୁ ଅନୁକୂଳନ ସୂଚନା କେନ୍ଦ୍ର (CAIC) ସ୍ଥାପନ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗ ସହ ସମନ୍ୱୟ ଓ ଅଭିସରଣର ସମ୍ଭାବନା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଦାଶ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ସଂପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସହ ସ୍ଥାନୀୟ ଲୋକଙ୍କ ଜୀବିକା ଓ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, କେଭିକେର ବରିଷ୍ଠ ବୈଜ୍ଞାନିକ ଲବ ସୋରେନ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବନ ବିଭାଗର ଅଧିକାରୀ, AJSA-India ଓ WFPର ପ୍ରତିନିଧିମାନେ ଉପସ୍ଥିତ ଥିଲେ। WFPର ଜାତୀୟ ଓ ବୈଷୟିକ ଦଳ ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।