ପୁଇଁତଲାରେ ‘ଅଧିକାର ଓ ସ୍ୱାଭିମାନ ମେଳା’: ୭୧ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ
ବଲାଙ୍ଗିର, ୧୮/୦୬ ( ମୋତିଲାଲ ସାହୁ ) : ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଦ୍ବାରା ଆୟୋଜିତ ଅଧିକାର ଓ ସ୍ବାଭିମାନ ମେଳା କୁଣ୍ଡାମାଳ ଠାରେ ଆୟୋଜିତ ହୋଇଥିଲା।୭୧ ଜଣ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସହଯୋଗରେ ବରିଷ୍ଠ ନାଗରିକମାନଙ୍କ ଦୈନନ୍ଦିନ ଜୀବନକୁ ସୁଗମ କରିବା ଉଦ୍ଦେଶ୍ୟରେ ହ୍ୱିଲ୍ ଚେୟାର, ଅଣ୍ଟା ବେଲ୍ଟ, ଶ୍ରବଣ ଯନ୍ତ୍ର, କମୋଡ୍, ଆଶାବାଡ଼ି ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ପ୍ରଦାନ କରାଯାଇଥିଲା। ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ ଏବଂ ଦିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ନାବାର୍ଡ ଡିଡିଏମ ଡ଼. ବିବେକ କୁମାର ନାଏକ, ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ର ବଲାଙ୍ଗିରର ଡ଼. ଧରିତ୍ରୀ ଗଡତ୍ୟା, ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷୀକେଶ ସାହୁ, ପୁଇଁତଲା ବ୍ଲକ କୃଷି ମୀର୍ ରାଜ ଅଲ୍ଲୀ, ସହକାରୀ କୃଷି ଅଧିକାରୀ ଅଭିଷେକ ପାଢ଼ୀ ସମ୍ମାନିତ ଅତିଥି ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଉପକରଣ ବଣ୍ଟନ କରିଥିଲେ। ଅତିଥିମାନେ ନିଜ ଉଦ୍ବୋଧନରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୂଚନା ଓ ସୁଫଳ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ବୋଲି କହିଥିଲେ। ସଭାରେ ଅଧ୍ୟକ୍ଷତା କରିଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୋତିଲାଲ ମିଶ୍ର କହିଥିଲେ ଯେ, “ଆମ ଉତ୍ପାଦକ କମ୍ପାନୀ ଏହି ଅଞ୍ଚଳର କୃଷକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଗଠନ କରାଯାଇଛି। କୃଷକଙ୍କ ଆର୍ଥିକ ବିକାଶ ପାଇଁ କୃଷି, ମୂଲ୍ୟ ଯୁକ୍ତ ଉତ୍ପାଦର ବଜାର ଇତ୍ୟାଦି ସହ ସାମାଜିକ ଉନ୍ନତି ପାଇଁ ଆମେ ସର୍ବଦା ପ୍ରୟାସରତ ରହିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରହିବ।” ନିଜ ଅଞ୍ଚଳରେ ଏଭଳି ସେବା ଓ ସହାୟତା ପାଇଥିବାରୁ ଉପସ୍ଥିତ ବରିଷ୍ଠ ନାଗରିକ ଏବଂ ହିତାଧିକାରୀମାନେ ଆନନ୍ଦ ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ଜୀବନ ମାନର ଉନ୍ନତି ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଏଫପିସି ର ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା , କର୍ମଚାରୀ ତଥା ଅଞ୍ଚଳର ସ୍ବେଛାସେବୀ ଯୋଗଦାନ କରିଥିଲେ।