ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା
ବିଂଝାରପୁର, ୦୫/୦୬ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ବୈଠକ ଗୃହରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଯୁବ ସରପଞ୍ଚ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଖିଲାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶ୍ୱ ପରିବେଶ ଦିବସର ଗୁରୁତ୍ୱ, ସ୍ୱଚ୍ଛ ପରିବେଶ ଓ ଜଳବାୟୁ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସରପଞ୍ଚ ଶ୍ରୀ ଖିଲାର କହିଥିଲେ ଯେ, “ସ୍ୱଚ୍ଛ ଗାଁ ହିଁ ସୁସ୍ଥ ସମାଜ ଓ ସୁରକ୍ଷିତ ଜଳବାୟୁର ମୂଳ ଆଧାର। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ। ଆମେ ଯଦି ଆଜିଠାରୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କମାଇବା ସହ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା, ତେବେ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପୃଥିବୀ ଗଢ଼ିପାରିବା।” ସେ ବର୍ତ୍ତମାନ ପଲିଥିନ ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ସଚେତନ କରାଇଥିଲେ। ପଲିଥିନକୁ ଏଣେତେଣେ ନଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ସଂଗ୍ରହ କରି ତାହାର ସଠିକ୍ ପରିଚାଳନା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗଛ ଲଗାଇବା, ଜଳ ସଂରକ୍ଷଣ କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସାମୂହିକ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ପିଇଓ ବିଷ୍ଣୁ ଚରଣ ସାମଲ, ନ୍ୟାୟ ସରପଞ୍ଚ ରଞ୍ଜୀତା ବାରିକ, କାହ୍ନା ରାଉତ, ଦେବାଶିଷ ସାମଲ, ଏମ୍ବିକେ ଶସ୍ମିତା ନାୟକ, ଲୋମାମୁଦ୍ରା ଜେନା, ଆକାଂକ୍ଷା ବାରିକ ପ୍ରମୁଖ ଯୋଗଦାନ କରିଥିଲେ। ଉପସ୍ଥିତ ସଦସ୍ୟମାନେ ଗ୍ରାମକୁ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ରଖିବା ପାଇଁ ସମୁହିକ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଶେଷରେ ମଳୟ ଥାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ |