Hot Posts

6/recent/ticker-posts

କଲରା ପତରୀୟା ବାଘ ଛାଲ ଜବତ ଘଟଣା ରେ ଗିରଫ ସଂଖ୍ୟା 9 କୁ ବୃଦ୍ଧି, ଗିରଫ ଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଣେ ଶିକ୍ଷକଙ୍କ ସମ୍ପୃକ୍ତି

ରାୟଗଡ଼ା, ୦୮/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ବନଖଣ୍ଡ ଅନ୍ତର୍ଗତ କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିଭଲକଣା ଗ୍ରାମ ଛକରେ ଗତ ଶନିବାର ଦିନ ବନ ବିଭାଗ ପକ୍ଷରୁ ଜବତ୍ କରାଯାଇ ଥିବା ବାଘ ଛାଲ ଜବତ ପ୍ରସଙ୍ଗରେ ଗିରଫ ସଂଖ୍ୟା ୮ରୁ ୯କୁ ବୃଦ୍ଧି ପାଇଛି| ପୂର୍ବରୁ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ | ଏହି ଘଟଣାରେ ବନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ଜଣ ଓ ରାୟଗଡ ଜିଲ୍ଲାର ୪ ଜଣଙ୍କୁ ଗିରଫ୍ କରାଯାଇଥିବା ନେଇ ରାୟଗଡ ଏସିଏଫ ସନ୍ଦୀପ ପୃଷ୍ଟି ପ୍ରକାଶ କରିଛନ୍ତି | ଅଭିଯୁକ୍ତମାନଙ୍କ ଠାରୁ ୪ଟି ବାଇକ୍ ଓ ୯ ଗୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି | ଏହି ବାଘ ଛାଲ ଚୋରା ଚଲାଣ ଘଟଣାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଜିରାଗଛ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ବେନିଆଙ୍କ ସଂପୃକ୍ତି ଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି | ସୁଚନା ପ୍ରକାରେ ଗତ ବର୍ଷ ନଭେମ୍ବର ମାସରେ ବାଘକୁ ଶିକାର କରାଯାଇ ହାଡ, ନଖ ସବୁ ବିକ୍ରି କରାଯାଇଥିଲା। ବର୍ତ୍ତମାନ ଏହାର ଛାଲକୁ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରା ଚାଲାଣ କାରିକୁ ବିକ୍ରି କରାଯିବା ପାଇଁ ଉଦ୍ୟମ ସମୟରେ ବନବିଭାଗ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏହି ଅଭିଯୁକ୍ତମାନେ କମ୍ ଦାମରେ ବାଘ ଛାଲ କିଣି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରିଭଲକଣା ଛକରେ ଓ ଏକ ଘରେ ଚଢାଉ କରିଥିଲା ।ଗିରଫ୍ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି | ସେମାନଙ୍କୁ ସିଜେଏମ୍ କୋର୍ଟକୁ ଚାଲାଣ କରାଯାଇଅଛି ବୋଲି ଜଣାପଡିଛି |