କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା,ଅଭାବୀ ବିକ୍ରି ଓ ବାଧ୍ୟତାମୂଳକ 'ଟ୍ୟାଗିଂ'କୁ ନେଇ ଏସୋସିଏଏସ ଏକତ୍ରିତ l
କଳାହାଣ୍ଡି, ୧୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ଦିନ ଧରି ଚାଷୀଙ୍କୁ ସେବା ଯୋଗାଇ ଆସୁଥିବା ଖୁଚୁରା ସାର ବ୍ୟବସାୟୀମାନେ ଏବେ ଗଭୀର ଆର୍ଥିକ ଓ ମାନସିକ ସଂକଟ ଦେଇ ଗତି କରୁଛନ୍ତି। ସରକାରୀ ନିୟମ ଓ କିଛି କ୍ଷେତ୍ରରେ ବିଭାଗୀୟ ଅସହଯୋଗ କାରଣରୁ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ଜିଲ୍ଲାର ଖୁଚୁରା ସାର ବ୍ୟବସାୟୀ ସଂଘ। କମ୍ ଲାଭ ଓ ଅଧିକ ପରିବହନ ଖର୍ଚ୍ଚ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ୟୁରିଆ ସାରର ସରକାରୀ ନିର୍ଦ୍ଧାରିତ ମୂଲ୍ୟ (MRP) ୨୬୬ ଟଙ୍କା ଥିବାବେଳେ, ଜୁନାଗଡ଼ ରାକ ପଏଣ୍ଟରୁ ସେମାନଙ୍କୁ ୨୬୦ ଟଙ୍କାରେ କିଣିବାକୁ ପଡ଼ୁଛି। ଏହା ସହିତ ପରିବହନ ବାବଦରେ ୪୦ ଟଙ୍କା ଏବଂ ଲୋଡିଂ-ଅନଲୋଡିଂ ପାଇଁ ୧୨ ଟଙ୍କା ଖର୍ଚ୍ଚ ହେଉଛି। ଫଳରେ ଗୋଟିଏ ବସ୍ତା ସାର ପିଛା ସେମାନଙ୍କୁ ପ୍ରାୟ ୩୧୨ ଟଙ୍କା ପଡ଼ୁଥିବା ବେଳେ, ସରକାରୀ ନିୟମ ଅନୁଯାୟୀ ସେମାନେ ୨୬୬ ଟଙ୍କାରୁ ଅଧିକ ଦରରେ ବିକ୍ରି କରିପାରୁନାହାଁନ୍ତି। ଏହାଦ୍ୱାରା ପ୍ରତି ବସ୍ତାରେ ବ୍ୟବସାୟୀଙ୍କୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ୁଛି।
ବାଧ୍ୟତାମୂଳକ 'ଟ୍ୟାଗିଂ' ସମସ୍ୟା
ବ୍ୟବସାୟୀଙ୍କ ଅଭିଯୋଗର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି 'ଟ୍ୟାଗିଂ'। ଡିଲରମାନେ ୟୁରିଆ ଓ ଡି.ଏ.ପି. ଭଳି ମୁଖ୍ୟ ସାର ଯୋଗାଇବା ବେଳେ ତାହା ସହିତ ଅଦରକାରୀ ସାମଗ୍ରୀ ବା ଅନ୍ୟାନ୍ୟ କମ୍ ଦରକାରୀ ସାର କିଣିବାକୁ ବାଧ୍ୟ କରୁଛନ୍ତି। ଯଦି ବ୍ୟବସାୟୀ ଏହି ଅତିରିକ୍ତ ସାମଗ୍ରୀ ନେବାକୁ ମନା କରୁଛନ୍ତି, ତେବେ ସେମାନଙ୍କୁ ମୁଖ୍ୟ ସାର ଯୋଗାଣ ବନ୍ଦ କରି ଦିଆଯାଉଛି। ଏହାର ପ୍ରଭାବ ଚାଷୀଙ୍କ ଉପରେ ମଧ୍ୟ ପଡ଼ୁଛି, କାରଣ ସେମାନେ ଅନିଚ୍ଛା ସତ୍ତ୍ୱେ ଅଧିକ ଟଙ୍କା ଦେଇ ଏହି ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।
MFMS ଓ ମାନୁଆଲ ରେଜିଷ୍ଟର
ବ୍ୟବସାୟୀମାନେ 'ମୋବାଇଲ ଫର୍ଟିଲାଇଜର ମନିଟରିଂ ସିଷ୍ଟମ' (MFMS) ମାଧ୍ୟମରେ ସମସ୍ତ ବିବରଣୀ ଡିଜିଟାଲ୍ ଆକାରରେ ଅପଡେଟ୍ କରୁଥିଲେ ସୁଦ୍ଧା, ପୁଣି ଥରେ ମାନୁଆଲ ରେଜିଷ୍ଟର ରଖିବା ପାଇଁ ବିଭାଗ ପକ୍ଷରୁ ଚାପ ପ୍ରୟୋଗ କରାଯାଉଛି। ଏହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହା କେବଳ ସମୟ ନଷ୍ଟ ବୋଲି କହିଛନ୍ତି।
ମାନସିକ ନିର୍ଯାତନା ଅଭିଯୋଗ
ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଏହି ସମସ୍ୟା ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବରଂ କିଛି କର୍ମଚାରୀ ବ୍ୟବସାୟୀଙ୍କୁ ମାନସିକ ସ୍ତରରେ ହଇରାଣ କରୁଥିବା ନେଇ ସଂଘ ଗୁରୁତର ଅଭିଯୋଗ ଆଣିଛି।
ସମସ୍ତ ସାରକୁ FOR (Freight On Road) ଦରରେ ଯୋଗାଇ ଦିଆଯାଉ।
ବାଧ୍ୟତାମୂଳକ 'ଟ୍ୟାଗିଂ' ବନ୍ଦ କରାଯାଉ।
ଡିଜିଟାଲ ଯୁଗରେ ମାନୁଆଲ ରେଜିଷ୍ଟରର ବ୍ୟବସ୍ଥା ଉଠାଇ ଦିଆଯାଉ।
ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାର ଖୁଚୁରା ସାର ବ୍ୟବସାୟୀମାନେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବା ସହ ସାର ବିକ୍ରି ବନ୍ଦ କରିବାକୁ ଆଜି ଅନୁଷ୍ଠିତ ଏକ ସମ୍ବିଳନୀ ରେ କଳାହାଣ୍ଡି ଫଟିଳାଇସର ସଙ୍ଘ ଚେତାବନୀ ଦେଇଛନ୍ତି।