ହଜିଗଲାଣି ମଣିଷ ପଣିଆ, ଭାଇ ଭାଇ ବିବାଦରୁ ମୃତ ମାଙ୍କ ଶବକୁ କାନ୍ଧ ଦେଲେନି ଜନ୍ମିତ ପୁଅ,ଦଶ ଘଣ୍ଟା ପରେ ପୋଲିସ ପହଞ୍ଚି କଲା ଶବସତ୍କାର l
ବାଲେଶ୍ୱର, ୨୭/୦୫ ( ପ୍ରଭାକର ମଲ୍ଲିକ ) : ହଜିଯାଇଛି ମଣିଷ ପଣିଆ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମର ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସ (୮୦)ଙ୍କ ତିନିଜଣ ପୁଅ ଅଛନ୍ତି। ପୂର୍ବରୁ ବଡ଼ ପୁଅ ନିଖୋଜ ହୋଇଯାଇ ଥିବା ବେଳେ ମଝିଆଁ ପୁଅ ପାଖରେ ଥିବା ବେଳେ ବାପା ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ପରେ ମା ତୁଳସୀ ସାନପୁଅ ରାକେଶ ଦାସଙ୍କ ଘରେ ରହିଥିଲେ। ମଙ୍ଗଳ ବାର ୧୦.୨୫ ଘଟିକାରେ ତୁଳସୀଙ୍କ ମୃତ ହୋଇଥିଲା। ତେବେ ପୂର୍ବରୁ ଜମି ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଭାଇ ମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ରହିଥିଲା। ରାକେଶ ନଦୀ ଘାଟରେ ଅନ୍ତେଷ୍ଟି କ୍ରିୟା କରିବାକୁ କହୁଥିବା ବେଳେ,ତାଙ୍କର ଭାଇ ଓ ପରିବାର ବର୍ଗ ନିଜ ଘର ବାଡ଼ିରେ ଅନେଷ୍ଟି କ୍ରିୟା କରିବେ ଜିଦ ରେ ଅଟଳ ଥିଲେ। ଯାହାକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଥିଲା। ଗ୍ରାମର ଲୋକ ମଧ୍ୟ ରାକେଶକୁ ଶବ ଉଠାଇବା ପାଇଁ ସାହାଯ୍ୟ କରିନଥିଲେ। ଫଳରେ ଦିନ ୧୦.୨୫ ରୁ ମୃତ ହୋଇଥିଲେ ହେଁ, ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଶବ ଉଠି ପାରିନଥିଲା। ତେବେ ବସ୍ତା ପୋଲିସ ଖବର ପାଇ,ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଓ ତାଙ୍କର ଟିମ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଖ କରି ସମସ୍ୟାର ସମାଧାନ କରିବାକୁ ଚାହିଁ ଥିଲେ ବି ସମସ୍ୟାର ସମାଧାନ ହୋଇ ପାରିନଥିଲା।ଏସ ଆଇ ବିଜୟ କୁମାର ବାରିକ ସମେତ ତାଙ୍କର ପୋଲିସ ଷ୍ଟାଫ ଶବକୁ କାନ୍ଧ ଦେଇ ଘର ନିକଟରୁ ଦିର୍ଘ ଦୁଇକିମି ଦୂରରେ ଥିବା ସୁବର୍ଣ୍ଣରେଖା ନଦୀର ଓଡ଼ିଆପଡ଼ା ବାଲିଘାଟକୁ ନେଇ ସାମ୍ବାଦିକ ଦିନବନ୍ଧୁ ପ୍ରଧାନ,ଅଜିତ କୁମାର ସାହୁ ଏବଂ ରବିନାରାୟଣ ଶତପଥୀଙ୍କ ସହାୟତାରେ ଶବ ସତ୍କାର କରିଥିଲେ।ପୋଲିସ ପକ୍ଷରୁ ଏସ.ଆଇ ବିଜୟ କୁମାର ବାରିକ,ଏ ଏସ ଆଇ ଲକ୍ଷ୍ମୀଧର ବିନ୍ଧାଣୀ,ହାବିଲଦାର ବିଷ୍ଣୁ ପ୍ରସାଦ ଦେଉରୀ ,କନେଷ୍ଟବଳ ରାମଚନ୍ଦ୍ର ହେମ୍ବ୍ରମ,ସିପାହୀ ଠାକୁର ମାଝୀ,ଜଗଲ ମୁର୍ମୁଙ୍କ ସମେତ କିଛି ସମ୍ପର୍କୀୟ ବନ୍ଧୁ ବାନ୍ଧବ ଗାତ ଖୋଲି ଶବ ସତ୍କାର କରିଥିଲେ। ତେବେ ପୋଲିସ ଓ ସାମ୍ବାଦିକଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l