କବି ସମ୍ରାଟ ରଙ୍ଗମଞ୍ଚରେ ସତ୍ୟଜିତଙ୍କ ଗୀତରେ ଝୁମିଳେ ଦର୍ଶକ
ଭଞ୍ଜନଗର, ୪/୫ ( ଜୟକୃଷ ପଟନାୟକ ) : ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା।ଅସ୍ଥାୟୀ ମଣ୍ଡପରେ ମା' ବାଗଦେବୀ ଓ ମା' ଠାକୁରାଣୀଙ୍କୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।ବିଶେଷ କରି ସନ୍ଧ୍ୟା ଆଳତୀ ଓ ବିରାଟ ଶୋଭାଯାତ୍ରାରେ ଦେବୀଙ୍କ ନଗର ପରିକ୍ରମା ସମୟରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି।ସେହିପରି ରବିବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ସାମ୍ନା କବି ସମ୍ରାଟ ରଙ୍ଗମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ବେଶ ମଜା ଉଠାଇଥିଲେ।ପ୍ରଥମେ ମୟୁରଭଞ୍ଜ ଜିଲ୍ଲାର ଯୁବତୀ ମାନଙ୍କ ଦ୍ୱାରା ବିଭିନ୍ନ ଚମତ୍କାର ମାଲଖମ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା।ଏହାପରେ ଓଲିଉଡର ପ୍ରଚ୍ଛଦ ପଟ ଗାୟକ ସତ୍ୟଜିତ ପ୍ରଧାନ ଲାଇଭ ବ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କଣ୍ଠଶିଳ୍ପୀ ସତ୍ୟଜିତଙ୍କ ଲୋକପ୍ରିୟ ଭଜନ ସହ ବହୁ ଓଡ଼ିଆ ଓ ହିନ୍ଦୀ ହିଟ ଗୀତରେ ଉପସ୍ଥିତ ଦର୍ଶକ ଝୁମିଥିଲେ।ଭିଡ଼ ଭିତରେ ଦର୍ଶକଙ୍କ ଗହଣରେ ସତ୍ୟଜିତ ନିଜର ସଙ୍ଗୀତ ପରିବେଷଣ କରିଥିଲେ, ଯାହାକୁ ସମସ୍ତେ ଉପଭୋଗ କରିଥିଲେ।ଏଥିରେ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡ଼ିଓ ଭାରତୀ ଦେବୀ,ବରିଷ୍ଠ ନେତା ପ୍ରଭାକର ନାୟକ, ବରିଷ୍ଠ ଡାକ୍ତର ବିଜୟ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।