Hot Posts

6/recent/ticker-posts

ନୂଆପଡା ଜଟଗଡ଼ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ନୂଆପଡ଼ା, ୧୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଦ୍ବାରିକାନାଥ ଶତପଥୀ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗଦେଇଥିଲେ । ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ ଓ ମହିଳାମାନଙ୍କ ପାଇଁ ରହିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି ଅବସରରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଜଣେ ନବଜାତ କନ୍ୟା ଶିଶୁଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଉପହାର ସହିତ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ, ଫଳମୂଳ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା। ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବହୁତ ଜନମଙ୍ଗଳକାରୀ ଓ କର୍ମନିଯୁକ୍ତି ଯୋଜନା ଉପଲବ୍ଧ ଅଛି। ଗ୍ରାମବାସୀମାନେ ପ୍ରବାସୀ ଶ୍ରମିକ ଭାବେ ବାହାରକୁ ନଯାଇ ସ୍ଥାନୀୟ ସୁଯୋଗର ଲାଭ ଉଠାଇବାକୁ ସେ ଆହ୍ୱାନ କରିଥିଲେ। ସେ ଛୋଟ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲକୁ ପଠାଇବାକୁ ଓ ଗାଁକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମନରେଗାରେ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ , “ସ୍ୱଚ୍ଛତା ଦୂତ” ସମ୍ମାନ ପ୍ରଦାନ କରାଯାଇଥିଲା। “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅବସରରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବାସସ୍ଥାନ ବ୍ୟବସ୍ଥା କରାଯାଇଥିଲା। ଶେଷରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଜଣେ ପ୍ରବାସୀ ଶ୍ରମିକଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୋମନା ବିଡିଓ, ତହସିଲଦାର, ପଞ୍ଚାୟତିରାଜ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ୱୟରେ ଆୟୋଜନ କରାଯାଇଥିଲା।