Hot Posts

6/recent/ticker-posts

ଋଷ-ୟୁକ୍ରେନ ଯୁଦ୍ଧରେ ଗଞ୍ଜାମ ଶ୍ରମିକର ମୃତ୍ୟୁ

ବ୍ରହ୍ମପୁର, ୧୮/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ରୋଜଗାର ପାଇଁ ଦେଶ ବାହାରକୁ ଯାଇ ଋଷ-ୟୁକ୍ରେନ୍ ଯୁଦ୍ଧରେ ବଳି ପଡ଼ିଲେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା। ୟୁକ୍ରେନର ଏକ ଡ୍ରୋନ୍ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁ ଘଟଣାକୁ ନେଇ ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତାଙ୍କର ମୃତଦେହକୁ ଫେରାଇ ଆଣିବାକୁ ଚେଷ୍ଟା ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।ନିଜ ପରିବାରକୁ ଦାନା ଯୋଗାଇବା ପାଇଁ ଗତ ମାର୍ଚ୍ଚ ମାସରେ ଋଷକୁ କାମ କରିବାକୁ ଯାଇଥିଲେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଏ. ରାମେୟା। ମସ୍କୋର ଏକ କମ୍ପାନୀରେ ସେ କାମ କରୁଥିଲେ । ହେଲେ ଡ୍ରୋନ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନଙ୍କ ଠାରୁ ଖବର ପାଇବା ପରେ ଶୋକରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ରୋଜଗାର କରିବା ପାଇଁ ଯାଇଥିଲା ପୁଅ,ଏବେ ତାର ମୃତଦେହ କେମିତି ଫେରି ଆସିବ ସେଥିପାଇଁ ବିକଳ ହେଇ ଚାହିଁ ବସିଛନ୍ତି ଶୋକସନ୍ତପ୍ତ ପରିବାର ବର୍ଗ।ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ କହିଛନ୍ତି, 'ମୃତଦେହ ମାଧବନ୍ଧ ଗ୍ରାମରେ କିପରି ପହଞ୍ଚିବ ସେ ବିଷୟରେ କଥାବାର୍ତ୍ତା ଚାଲିଛି । ଦିଲ୍ଲୀରେ ଥିବା ରେସିଡେଣ୍ଡ କମିଶନରଙ୍କୁ ଘଟଣା ସଂପର୍କରେ ଯୋଗାଯୋଗ କରି ଅନୁରୋଧ କରାଯିବା ସହ ରଷିଆରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଛି । ଦିଲ୍ଲୀରେ ଥିବା କମିଶନଙ୍କ ପକ୍ଷରୁ ଏ ନେଇ କୁଟନୈତିକ ସ୍ତରରେ ଯୋଗାଯୋଗ ଚାଲିଛି । ଆଶା କରାଯାଉଛି, ଖୁବଶ୍ରୀଘ୍ର ମୃତଦେହ ଉଦ୍ଧାର କରାଯାଇ ନିଜ ଗ୍ରାମକୁ ଫେରାଇ ଅଣାଯିବ । ସେଥିନେଇ ସମସ୍ତ ଉଦ୍ୟମ ଜାରି ରହିଛି' ବୋଲି କହିଛନ୍ତି ଜିଲ୍ଲାପାଳ ।