ମା'ଙ୍କର ଦର୍ଶନ କଲେ ୨ମନ୍ତ୍ରୀ ଓ ବିଧାୟକ; ଅସୀମା ପଣ୍ଡାଙ୍କ ଗୀତରେ ଝୁମିଳେ ଦର୍ଶକ
ଭଞ୍ଜନଗର, ୧୮/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୦ତାରିଖରେ ଶେଷ ହେବାକୁ ଯାଉଛି।ହେଲେ ଅନ୍ତିମ ପର୍ଯ୍ୟାୟ ଯେତିକି ପାଖେଇ ଆସୁଛି,ଲୋକଙ୍କ ମନରେ ଆନନ୍ଦ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି।ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି।ରବିବାର ମା 'ଙ୍କର ନଗର ପରିକ୍ରମା ପଞ୍ଚଦଶ ଦିବସରେ ସନ୍ଧ୍ୟା ଆଳତି ପରେ ବିରାଟ ଶୋଭାଯାତ୍ରାରେ ଆତସବାଜି ସହ ବିଭିନ୍ନ ବେଶ ପଟୁଆରରେ ମା 'ଠାକୁରାଣୀ ଓ ମା 'ବାଗଦେବୀ ଭଞ୍ଜନଗର ପୌର ପରିଷଦରେ ପହଁଞ୍ଚି ଥିଲେ। ସେଠାରେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷ ଶୁଭଶ୍ରୀ ଦାସ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ସମସ୍ତ କଉନସିଲର ଓ ସମସ୍ତ ପୌର କର୍ମଚାରୀଙ୍କ ଉପସ୍ଥିତିରେ ମାଆ'ଙ୍କର ପୂଜାର୍ଚ୍ଚନା ହୋଇଥିଲା।ସେଠାରୁ ବାହାରି ମାଆ ଖାଲା ସାହି ଦେଇ ହାର୍ଟ ନଗରରେ ପହଁଞ୍ଚି ସେଠାରେ ମଧ୍ୟ ପୂଜାର୍ଚ୍ଚନା ପରେ ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭକ୍ତ ଉପସ୍ଥିତ ରହି ମାଆ 'ଙ୍କୁ ଦର୍ଶନ କରିଥିଲେ।ସେହିପରି ସନ୍ଧ୍ୟା ଆଳତୀରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ମା'ଙ୍କର ଦର୍ଶନ କରିଥିଲେ।ଏହାପରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ବିଜେପି ସଭାପତି ନୀଳ ମାଧବ ପାତ୍ର, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ସମ୍ପାଦକ ସୁଧୀର ରଞ୍ଜନ ବେହେରା ଙ୍କ ସମେତ ଅନ୍ୟ ଅତିଥିମାନେ କବି ସମ୍ରାଟ ରଙ୍ଗମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୨୫ ଦିନ ଧରି ଯାତ୍ରାର ଆୟୋଜନ ଓ ପରିଚାଳନାକୁ ନେଇ ସମସ୍ତେ ପ୍ରଶଂସା କରିବା ସହ ୨୦୦ବର୍ଷ ପୂର୍ବେ ଇଂରେଜ ଅମଳରେ ଭଞ୍ଜନଗର ଠାରେ ଆରମ୍ଭ ହୋଇଥିବା ଠାକୁରାଣୀ ଯାତ୍ରା ରାଜ୍ୟବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଇଟିଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ସଂଗ୍ରାମୀ ଚକରା ବିଷୋୟୀଙ୍କ ପାଇଁ ଭଞ୍ଜମାଟି ଆଜି ଗର୍ବିତ ବୋଲି ଅତିଥିମାନେ କହିଥିଲେ।ଏହାପରେ ଭବାନୀପାଟଣା କଳାକାରଙ୍କ ଦ୍ଵାରା ଘୁମୁରା ନାଚ ଓ ପରେ ପରେ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବିଭିନ୍ନ ଗୀତ ଦ୍ୱାରା ଉପସ୍ଥିତ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।