ମାଲକାନଗିରି ପୋଲିସକୁ ବଡ଼ ସଫଳତା ଧରାପଡିଲା ୧୦୦ କୋଟିର ହାସିସ୍ ଅଏଲ୍ କାରଖାନା
ମାଲକାନଗିରି, ୦୩/୦୫ ( ଶରତ ଚନ୍ଦ୍ର ଖରା ) : ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ମାଲକାନଗିରି ଜିଲ୍ଲା ପୋଲିସର ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ହାସିସ୍ ଅଏଲ୍ ବା ଗଞ୍ଜେଇ ତେଲ ପ୍ରସ୍ତୁତି ୟୁନିଟ୍କୁ ପୋଲିସ ଠାବ କରିଛି। ଏହି ଚଢ଼ାଉରେ ପ୍ରାୟ ୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଥିବା ବେଳେ ଏକ ବଡ଼ ରାକେଟ୍ର ପର୍ଦ୍ଦାଫାଶ ହୋଇଛି। ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ହାସିସ୍ ଅଏଲ୍ ମାନୁଫ୍ୟାକଚରିଂ ୟୁନିଟ୍ ଚାଲିଥିବା ନେଇ ପୋଲିସକୁ ବାରମ୍ବାର ଖବର ମିଳୁଥିଲା। ପୋଲିସର କଡା ନଜର ଓ ଚଢ଼ାଉ ଭୟରେ ଅଭିଯୁକ୍ତମାନେ ଏହି କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ବେଳେ ମାଲକାନଗିରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିଥିଲା। ପ୍ରାୟ ୮୦୦ ଲିଟର ପ୍ରିକର୍ସର କେମିକାଲ୍ ଯାହା ଦ୍ୱାରା ୮୦୦ କେଜି ହାସିସ୍ ଅଏଲ୍ ପ୍ରସ୍ତୁତ ହୋଇପାରିଥାନ୍ତା। ୨ କେଜି ପ୍ରସ୍ତୁତ ହାସିସ୍ ଅଏଲ୍ ଓ ୫୦ କେଜି ଗଞ୍ଜେଇ। ଏହା ସହ କମ୍ପ୍ରେସର ମେସିନ୍ ଓ ଅନ୍ୟାନ୍ୟ ପ୍ରସ୍ତୁତି ସାମଗ୍ରୀ। ଜବତ ହୋଇଥିବା ଏହି ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି ନିତିନ କୁଶଲକର ସୂଚନା ଦେଇଛନ୍ତି। ବଜାରରେ ଏହାର କେଜି ପ୍ରତି ମୂଲ୍ୟ ପ୍ରାୟ ୧୨.୫ ଲକ୍ଷ ଟଙ୍କା ରହିଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏତେ ବଡ଼ ପରିମାଣର ନିଶାଦ୍ରବ୍ୟ ବଜାରକୁ ଯିବାରୁ ଅଟକି ଯାଇଛି। ଆଗକୁ ମଧ୍ୟ ଏହିପରି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ମାଲକାନାଗିରି ଜିଲ୍ଲା ରୁ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ ।