ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ! ବିଜେଡି-ବିଜେପି ନେତାଙ୍କ ଛାୟାରେ ବଢ଼ୁଛି ବେଆଇନ ବାଲି ସାମ୍ରାଜ୍ୟ ? ବବି-ଗୌତମଙ୍କ ଭିତିରି ସମ୍ପର୍କକୁ ନେଇ ଜିଲ୍ଲା ରାଜନୀତିରେ ଚର୍ଚ୍ଚା!
ଯାଜପୁର, ୨୮/୦୫ (ନିରୋଜ କୁମାର ସେଠୀ) : ଓଡ଼ିଶାରେ ସରକାର ବଦଳିଥିଲେ ମଧ୍ୟ ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ କମିନାହିଁ। ବରଂ ରାଜନୈତିକ ଛତ୍ରଛାୟାରେ ସେମାନଙ୍କ ପ୍ରଭାବ ଆଉ ବଢ଼ିଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଭିନ୍ନ ନଦୀ ଘାଟରେ ବେଆଇନ ବାଲି ଉଠାଣ ଚାଲୁଥିବାବେଳେ ପ୍ରଶାସନ ନିରବ ଦର୍ଶକ ସାଜିଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏହି ଚର୍ଚ୍ଚାର କେନ୍ଦ୍ରରେ ରହିଛି ଦେବିଗଡା ବେଆଇନ ବାଲି ଘାଟକୁ ନେଇ ଉଠୁଥିବା ଅଭିଯୋଗ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, “ତାରିଣୀ” ନାମରେ ପରିଚିତ ଜଣେ ପ୍ରଭାବଶାଳୀ ବାଲି ମାଫିଆ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ବେଆଇନ ବାଲି କାରବାର ଚଳାଇଆସୁଛନ୍ତି। ଅଭିଯୋଗ ହେଉଛି, ରାଜନୈତିକ ସୁରକ୍ଷା ଥିବାରୁ ପ୍ରଶାସନ ମଧ୍ୟ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାହସ କରୁନାହିଁ।ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି, ସାମାଜିକ ଗଣମାଧ୍ୟମରେ ଏବେ ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓରଫ “ବବି” ଏବଂ ଅନ୍ୟ ନେତା ଗୌତମ ରାୟଙ୍କ ସହ ତାରିଣୀଙ୍କ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଜିଲ୍ଲା ରାଜନୀତିରେ ନୂଆ ଝଡ଼ ସୃଷ୍ଟି ହୋଇଛି। ଲୋକମାନେ ପ୍ରଶ୍ନ କରୁଛନ୍ତି — “ବାଲି ମାଫିଆଙ୍କ ସହ ନେତାଙ୍କ ଏତେ ଘନିଷ୍ଠତା କାହିଁକି ?” କେବଳ ବିଜେଡି ନୁହେଁ, ବିଜେପି ନେତାଙ୍କ ସହ ମଧ୍ୟ ଏହି ବାଲି କାରବାରୀଙ୍କ ସମ୍ପର୍କ ଥିବା ନେଇ ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି। ଫଳରେ ଲୋକଙ୍କ ସରକାର ବଦନାମ ହେଉଛି ସାଧାରଣ ଲୋକଙ୍କ ଅଭିଯୋଗ, ଦଳ ବଦଳିଥିଲେ ମଧ୍ୟ ବାଲି ସିଣ୍ଡିକେଟ ଭାଙ୍ଗିନାହିଁ। ବରଂ ଏବେ ବିଜେଡି ଓ ବିଜେପିର କିଛି ପ୍ରଭାବଶାଳୀ ମୁହଁଙ୍କ ଆଶୀର୍ବାଦରେ ଏହି କାରବାର ଆଉ ସଂଗଠିତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ହେଲେ ନଦୀ ଘାଟରେ ଶତାଧିକ ଟ୍ରିପ ବାଲି ଉଠୁଛି। ଓଭରଲୋଡ ଟ୍ରକ ରାସ୍ତାକୁ ନଷ୍ଟ କରୁଥିବାବେଳେ ପ୍ରତିବାଦ କରୁଥିବା ଲୋକଙ୍କୁ ଧମକ ମିଳୁଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ରେଭେନ୍ୟୁ, ମାଇନିଂ ଓ ପୋଲିସ ବିଭାଗ ନୀରବ ରହୁଥିବାରୁ ପ୍ରଶାସନର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପରିବେଶବିଦମାନେ କହୁଛନ୍ତି, ଏଭଳି ଅନିୟନ୍ତ୍ରିତ ବାଲି ଉଠାଣ ଯୋଗୁଁ ନଦୀର ସ୍ୱାଭାବିକ ଗତିପଥ ବଦଳୁଛି। ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହେଉଥିବାବେଳେ ଆଗାମୀ ଦିନରେ ବନ୍ୟା ବିପଦ ବଢ଼ିପାରେ। ତଥାପି କିଛି ରାଜନୈତିକ ଛତ୍ରଛାୟା ଥିବାରୁ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଅଭିଯୋଗ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏବେ ଜିଲ୍ଲାରେ ଏଭଳି ଧାରଣା ସୃଷ୍ଟି ହେଉଛି ଯେ —“ବାଲି ଘାଟରେ ଯାହାର ରାଜ, ସେହିଁ ରାଜନୀତିରେ ପ୍ରଭାବ।”ଲୋକମାନେ କହୁଛନ୍ତି, ଯଦି ସରକାର ସତରେ ଦୁର୍ନୀତି ଓ ମାଫିଆ ରାଜ ବିରୋଧରେ ଅଟେ, ତେବେ ଦେବିଗଡା ବାଲି ଘାଟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। ସୋସିଆଲ ମିଡିଆରେ ଘୁରୁଥିବା ଫଟୋ, ବେଆଇନ ବାଲି ଉଠାଣ ଓ ରାଜନୈତିକ ସମ୍ପର୍କର ସତ୍ୟତା ସାମ୍ନାକୁ ଆସିବା ଦରକାର।ନଚେତ୍ ଲୋକଙ୍କ ମନରେ ଗୋଟିଏ କଥା ଆଉ ଗଭୀର ହେବ —“ଯାଜପୁରରେ ସରକାର ଯାହାର ହେଉ, ବାଲି ଘାଟ ଚାଲାଉଛନ୍ତି ବିଜେଡ଼ି ଦଳର ମାଫିଆମାନେ।”