Hot Posts

6/recent/ticker-posts

ଓରମାସ୍, ନୂଆପଡ଼ା ପକ୍ଷରୁ କ୍ରେତା–ବିକ୍ରେତାଙ୍କ ପାଇଁ ‘ନୂଆପଡ଼ା ହାଟ’ ୱେବ୍ ପୋର୍ଟାଲର ଶୁଭାରମ୍ଭ।

ନୂଆପଡ଼ା, ୨୬/୦୫ ( ପରମେଶ୍ୱର ମେହେର ) : ଓରମାସ୍, ନୂଆପଡ଼ା ପକ୍ଷରୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ନୂତନ ୱେବ୍ ପୋର୍ଟାଲ ‘ନୂଆପଡ଼ା ହାଟ’ ର ଶୁଭାରମ୍ଭ କରାଯାଇଛି। ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ନୂଆପଡ଼ା ଗସ୍ତ ଅବସରରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ୱେବ୍ ପୋର୍ଟାଲର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ବିଧାୟକ ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନବଉଦ୍ଘାଟିତ ଏହି ୱେବ୍ ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆପଡ଼ା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHGs), ପ୍ରୋଡ୍ୟୁସର ଗ୍ରୁପ୍ (PGs), ପ୍ରୋଡ୍ୟୁସର କମ୍ପାନୀ (PCs) ଏବଂ ଗ୍ରାମୀଣ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ପ୍ରଚାର ଓ ବିପଣନ ପାଇଁ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇଦେବା। ଓଡ଼ିଶାରେ ପ୍ରଥମ ଥର ପାଇଁ ଓରମାସ୍‌ର ସହଯୋଗରେ କ୍ରେତା ଓ ବିକ୍ରେତାଙ୍କ ପାଇଁ ଏଭଳି ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହା କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଗୁଣସ୍ତରୀୟ ଗ୍ରାମୀଣ ଉତ୍ପାଦଗୁଡ଼ିକୁ ନ୍ୟାୟସଙ୍ଗତ ବଜାର ଦରରେ ସହଜରେ ଉପଲବ୍ଧ କରାଇବ। ଏହା ମାଧ୍ୟମରେ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ବଜାର ସଂଯୋଗ ସୁଯୋଗ ବୃଦ୍ଧି ପାଇବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କାରିଗରମାନଙ୍କ ସ୍ଥାୟୀ ଜୀବିକାକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଓରମାସ୍‌ର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବ୍ୟାପକ ବଜାରକୁ ପହଞ୍ଚାଇବାରେ ଡିଜିଟାଲ୍ ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ପଦକ୍ଷେପ ଗ୍ରାମୀଣ ଉନ୍ନୟନ, ମହିଳା ସଶକ୍ତିକରଣ ଏବଂ ଆର୍ଥିକ ସମାବେଶ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସେ କହିଥିଲେ। ଏହି ୱେବ୍ ପୋର୍ଟାଲ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ସ୍ୱଚ୍ଛ ବିପଣନ ବ୍ୟବସ୍ଥା, ବ୍ୟାପକ ବଜାର ପହଞ୍ଚ ଏବଂ ଉନ୍ନତ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ସହିତ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ଭାବେ ପ୍ରସ୍ତୁତ ସ୍ୱଚ୍ଛ ଓ ଗୁଣାତ୍ମକ ଉତ୍ପାଦ ସହଜରେ ପ୍ରାପ୍ତ କରିବାର ସୁଯୋଗ ଯୋଗାଇଦେବ।