ଦୀର୍ଘ ୩୦ ବର୍ଷର ସ୍ୱପ୍ନ ସାକାର କଲେ ବିଧାୟକ
ଝରିଗାଁ, ୨୮/୦୫ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ପଞ୍ଚାୟତର କପୁରଗୁଡା ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ଗ୍ରାମବାସୀ ଏକ ନଳକୂପ ପାଇଁ ସ୍ଥାନୀୟ ସରପଞ୍ଚ, ପିଇଓ ଓ ବ୍ଲକ ପ୍ରଶାସନଙ୍କୁ ଅନେକଥର ଅଭିଯୋଗ କରି ଆସୁଥିଲେ । ତଥାପି କୌଣସି ପଦକ୍ଷେପ ନିଆଯାଉନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାରେ ଅସୁବିଧା ଭୋଗୁଥିଲେ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାରର ବିଧାୟକ ଓ ସାଂସଦଙ୍କୁ ଏହି ସମସ୍ୟା ସମ୍ପର୍କରେ ଜଣାଇବା ପରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗ୍ରାମକୁ ନଳକୂପ ପହଞ୍ଚିଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ସାଂସଦ ବଳଭଦ୍ର ମାଝୀ ଓ ସ୍ଥାନୀୟ ବିଧାୟକ ନରସିଂହ ଭତ୍ରା ଙ୍କୁ ଭୁରିଭୁରି ପ୍ରଶଂସା ସହ ଧନ୍ୟବାଦ ଜଣାଇଛନ୍ତି । ଗ୍ରାମରେ ପାନୀୟ ଜଳର ଭୟଙ୍କର ସମସ୍ୟା ଥିବାରୁ ଲୋକମାନେ ପଡୋଶୀ କଳାହାଣ୍ଡିଆ ସାହିର ନଳକୂପରୁ ପାଣି ଆଣି ବ୍ୟବହାର କରୁଥିଲେ । ଏକ ନଳକୂପ ପାଇଁ ଗ୍ରାମବାସୀ ପୁନଃପୁନି ଅଭିଯୋଗ କରୁଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝିନଥିଲେ । ସରକାର ପରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ କପୁରଗୁଡା ଭଳି ଏକ ରେଭେନ୍ୟୁ ଗ୍ରାମକୁ ନଳକୂପ ସୁବିଧା ପହଞ୍ଚି ପାରିନଥିଲା । ଶେଷରେ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି ।