ସରବାହାଲରେ ପ୍ରତିଷ୍ଠା ହେବ ଫୁଡ୍ ଜୋନ,ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ ଟଙ୍କଧର ତ୍ରିପାଠୀ,

ଝାରସୁଗୁଡ଼ା, ୨୬/୫ : ଝାରସୁଗୁଡ଼ା ସହରର ସରବାହାଲ ଅଞ୍ଚଳରେ ଏକ ଆଧୁନିକ ଫୁଡ୍ ଜୋନ ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାପାଳଙ୍କୁ ଏକ ସରକାରୀ ପତ୍ର ଲେଖି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ବିଧାୟକ ତ୍ରିପାଠୀ ଚିଠି ରେ ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ସରବାହାଲଠାରେ ଶିଳ୍ପ ବିଭାଗ ଅଧୀନରେ ଥିବା ଏକ ଖାଲି ଜମିକୁ ଏହି ଫୁଡ୍ ଜୋନ୍ ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରକଳ୍ପ ସହରର ଉନ୍ନତି ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।ସହରରେ ହେଉଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ।ଏହା ସହିତ ସ୍ଥାନୀୟ ଛୋଟ ବ୍ୟବସାୟୀ ଓ ଷ୍ଟ୍ରିଟ୍ ଭେଣ୍ଡର (ଖାଦ୍ୟ ବିକ୍ରେତା) ମାନଙ୍କ ପାଇଁ ସ୍ଥାୟୀ ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।ଖାଦ୍ୟ ବ୍ୟବସାୟ ଅଧିକ ସ୍ୱଚ୍ଛ ଓ ସଂଗଠିତ ଶୈଳୀରେ ପରିଚାଳିତ ହୋଇପାରିବ ଏବଂ ସହରବାସୀ ଏକ ସୁନ୍ଦର ପରିବେଶରେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ନେଇପାରିବେ ବୋଲି ବିଧାୟକ ତ୍ରିପାଠୀ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି |ଏହା ସହିତ ଜନସାଧାରଣଙ୍କ ଦ୍ୱାରା ବହୁ ଦିନରୁ ଦାବି ହୋଇ ଆସୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଅର୍ଥନୈତିକ ଓ ବ୍ୟବସାୟିକ ଅଭିବୃଦ୍ଧି ଘଟିବ। ଶିଳ୍ପ ବିଭାଗ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟା ଚାଲୁ ରହିଥିବା ବେଳେ, କାମ ଯେପରି ଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ କାର୍ଯ୍ୟକାରୀ ସଂସ୍ଥାକୁ ଆଗୁଆ ଅନୁମତି ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।