Hot Posts

6/recent/ticker-posts

ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍ ।

ରାୟଗଡ଼, ୩୧/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ବ୍ଲକରେ ଶେଷ କାର୍ଯ୍ୟକାଳ ଦିବସରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୂଡାନ୍ତ ପେନସନ ପ୍ରଦାନ କରାଯାଇଅଛି। ଜିଲ୍ଲା ଶିକ୍ଷାଅଧିକାରୀ ତଥା ଭାରପ୍ରାପ୍ତ ରାୟଗଡ଼ ବ୍ଲକ ବିଇଓ ଭଜନଲାଲ ମାଝୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୂଡାନ୍ତ ପେନସନ ଆଦେଶ ପତ୍ର ବଣ୍ଟନ କରିଛନ୍ତି। ଚଳିତ ମାସ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦ୍ରାବତୀ ପାଢ଼ୀ ଶିକ୍ଷୟିତ୍ରୀ ହେମଲତା ପଟ୍ଟନାୟକ ଓ ନୀଳିମା ପଟ୍ଟନାୟକ, ପ୍ରଧାନ ଶିକ୍ଷକ ରଘୁନାଥ ମହାନ୍ତି ଏବଂ ବୃନ୍ଦାବନ ମାଣ୍ଡାଙ୍ଗି ଅବସର ନେଇଛନ୍ତି । ରବିବାର ସତ୍ତ୍ୱେ ବଣ୍ଟନ ସମୟରେ ଏବିଇଓ ଛବିଲାଲ ସିଂ, ବଳରାମ ହୁଇକା ତଥା ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।  ଜିଲ୍ଲାପାଳ ରାୟଗଡ଼ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣି ଭାପ୍ରସେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଶିକ୍ଷକଙ୍କ ଦିର୍ଘ୍ୟ ଓ ସୁସ୍ଥ ଜୀବନ କାମନା କରିବାସହ ରାୟଗଡ ଶିକ୍ଷା ବିଭାଗର ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଅନ୍ୟ ବିଇଓ ଏଥିରୁ ପ୍ରେରିତ ହେବାସହ ନିର୍ଦ୍ଧାରିତ ଦିନ ପୂର୍ବରୁ ଅବସର କାଳୀନ ପ୍ରାପ୍ୟ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ଅବସର ଦିବସରେ କର୍ମଚାରୀଙ୍କୁ ଚୂଡାନ୍ତ ପେନସନ ପ୍ରଦାନ କରିବା ନିମନ୍ତେ କହିଛନ୍ତି ।  ଏଡିଇଓ ଭଜନଲାଲ ମାଝୀ ବହୁମୁଖୀ ଦାୟୀତ୍ୱ ନିର୍ବାହ ସତ୍ତ୍ୱେ ରାୟଗଡ଼ ବ୍ଲକ ବିଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ରହି ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଦ୍ୱାରା ହଜାର ହଜାର ଶିକ୍ଷକଙ୍କ ପ୍ରଶଂସାର ପାତ୍ର ହୋଇପାରିଥିବାରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତଥା ରାୟଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜିଲ୍ଲାର ଏଗାର ଗୋଟି ବ୍ଲକରେ ଏପରି ବ୍ୟବସ୍ଥା ଲାଗୁହେଲେ ଶିକ୍ଷକଙ୍କ ଜୀବନକାଳର ପରିଶ୍ରମ ସାର୍ଥକ ହେବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନିଳାଞ୍ଚଳ ମିଶ୍ର କହିଛନ୍ତି।