ଓଏଭି ରାଜ୍ୟ ଟପ୍ପର ପ୍ରିୟଦର୍ଶିନୀଙ୍କୁ ମାଁ ସୁରା ଦେଇ ଫ୍ରେଣ୍ଡସ କ୍ଲବର ଭବ୍ୟ ସମ୍ବର୍ଦ୍ଧନା
ଖଜୁରୀପଡ଼ା, ୨୭/୦୫ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ମେଧାବୀ ଛାତ୍ରୀ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଦ୍ୱାଦଶ ବିଜ୍ଞାନ ଶାଖାର ରାଜ୍ୟ ଟପ୍ପର ପ୍ରିୟଦର୍ଶିନୀ ବେହେରାଙ୍କୁ ମାଁ ସୁରା ଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି । କ୍ଲବ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ କ୍ଲବ ସଦସ୍ୟମାନେ ଯୋଗଦେଇ ପ୍ରିୟଦର୍ଶିନୀଙ୍କ ସଫଳତାକୁ କନ୍ଧମାଳ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ।ସୂଚନା ଅନୁସାରେ, ଗତ ମେ ୧୧ ତାରିଖରେ ପ୍ରକାଶିତ ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ଫଳରେ ଫୁଲବାଣୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଧୋବାତୋଟାର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୫୦୦ରୁ ୪୮୮ ନମ୍ବର ରଖି ୯୭.୬ ପ୍ରତିଶତ ମାର୍କ ସହ ରାଜ୍ୟ ସ୍ତରରେ ଓଏଭି ଟପ୍ପର ହେବା ସହ କନ୍ଧମାଳ ଜିଲ୍ଲାର ମଧ୍ୟ ଟପ୍ପର ହୋଇଥିଲେ । ଏହି ସଫଳତା ମାଧ୍ୟମରେ ସେ ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପୂର୍ବରୁ ଦଶମ ଶ୍ରେଣୀରେ ମଧ୍ୟ ସେ ସିବିଏସଇ ପବ୍ଲିକ ସ୍କୁଲ ଫୁଲବାଣୀରୁ ୪୮୫ ନମ୍ବର ରଖି ୯୭ ପ୍ରତିଶତ ସହ ଜିଲ୍ଲା ଟପ୍ପର ହୋଇଥିଲେ । ପ୍ରିୟଦର୍ଶିନୀଙ୍କ ଘର ଖଜୁରୀପଡ଼ା ବ୍ଲକର ନେଡ୍ରିଖୋଲ ଗ୍ରାମରେ । ତାଙ୍କ ପିତା ମଦନମୋହନ ବେହେରା ଜଣେ ସରକାରୀ ସହକାରୀ ଶିକ୍ଷକ ଏବଂ ମାତା ସୌଦାମିନୀ ଦିଗାଲ ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ପରିବାରର ପ୍ରେରଣା ଓ ନିଜ ଅଧ୍ୟବସାୟ ବଳରେ ସେ ଏହି କୃତିତ୍ୱ ଅର୍ଜନ କରିଥିବା କହିଛନ୍ତି । କ୍ଲବ ପକ୍ଷରୁ ପ୍ରିୟଦର୍ଶିନୀଙ୍କୁ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ସହ କିଛି ଆର୍ଥିକ ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କ୍ଲବ ଗୁରୁ ଦଶରଥ ସାହୁ, ଉପସଭାପତି ସୁଧାଂଶୁ ବେହେରା , ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡା, କୋଷାଧ୍ୟକ୍ଷ ଆଲୋକ ପ୍ରଧାନ , ଜଗନ୍ନାଥ ଜାନୀ ସମେତ ସମସ୍ତ ସଦସ୍ୟ ଓ ଛାତ୍ରୀ ଙ୍କ ବାପା ମାଁ ଏବଂ ଗଣମାଧ୍ୟମ ପ୍ରତିନିଧି ଅଚ୍ୟୁତ ଜାନୀ,ସମିର ପ୍ରସାଦ ଝାଙ୍କର ଉପସ୍ଥିତ ଥିଲେ । ପ୍ରିୟଦର୍ଶିନୀଙ୍କ ପିତା କ୍ଲବର ଏହି ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରିଥିଲେ । ଅନ୍ୟପଟେ, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ମିଳୁଥିବା ବେଳେ ଫୁଲବାଣୀ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ନ ମିଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ଚର୍ଚ୍ଚା ଦେଖାଦେଇଛି ।