କଳାହାଣ୍ଡି, ୧୧/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦିର୍ଘ ମାସ ହେବ ସ୍ତନ କର୍କଟ ରୋଗ ରେ ପୀଡିତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଣେ ଅସହାୟ ବିଧବା ମହିଳା | କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ବୋବରିଆ ଗ୍ରାମ ର ସ୍ବର୍ଗତ ଟିକଚନ ପଟେଲ ଙ୍କ ବିଧବା ପତ୍ନୀ ମୁକ୍ତେଶ୍ଵରୀ ପଟେଲ। ସ୍ୱାମୀ ମୃତ୍ୟୁ ପାଞ୍ଚ ବର୍ଷ ହେଲାଣି, ତାଙ୍କ ଦୁଇ ଝିଅ ବାହା ଦେବାପରେ ଏବେ ଏକୁଟିଆ ରହୁଛନ୍ତି | ସ୍ତନ କର୍କଟ ରୋଗ ରେ ପୀଡିତ ହୋଇ ୬ ମାସ ହେବ ଘରେ ଏକ ଛିଣ୍ଡା ଖଟିଆ ରେ ପଡି ରହି ଘୁମୁରି ଘୁମୁରି କାନ୍ଦୁଛନ୍ତି ମୁକ୍ତେଶ୍ଵର ପଟେଲ | ନିକଟରେ ସ୍ୱାସ୍ଥ୍ୟ ବୀମା କାର୍ଡ ଖଣ୍ଡିଏ ଅଛି କିନ୍ତୁ ମେଡ଼ିକାଲ ଯାତାୟାତ ପାଇଁ ହାତରେ କାଣି କଉଡ଼ି ଟିଏ ନାହିଁ। ଚିକିତ୍ସା ଅବହେଳା ରୁ ରୋଗ ଦିନକୁ ଦିନ ବଢିବାରେ ଲାଗିଛି | ଜ୍ୱାଇଁ ମାନଙ୍କର ସହଯୋଗ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ ହେଲେ ବଡ ମେଡିକାଲ କୁ ନେଇ ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ | ହାତରେ ଟଙ୍କା ନ ଥିବାରୁ ହାତବାନ୍ଧି ବସିଛନ୍ତି ମୁକ୍ତେଶ୍ଵରୀ। ସ୍ଥାନୀୟ ଲୋକେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇବା ପରେ ଆଜି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ମୁକ୍ତେଶ୍ଵରୀ ଙ୍କ ଅବସ୍ଥା ଦେଖିବା ସହ କୋକସରା ବିଡ଼ିଓ ଙ୍କୁ ଚିକିତ୍ସା ପାଇଁ ପ୍ରଶାସନ ର ସହାୟତା ପାଇଁ କହିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବାପରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ହିମାଞ୍ଚଳ ମାଝୀ ତ୍ୱରିତ ପଦକ୍ଷେପ ନେଇ ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରି ଏକ ମେଡ଼ିକାଲ ଟିମ କୁ ପଠାଇବା ସହ ବିଧବା ମୁକ୍ତେଶ୍ଵରୀ ର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଶ୍ୱାସନା ଦେଇଛନ୍ତି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ